ବିଜେପି ସାଂସଦ ରାମ ଶଙ୍କରଙ୍କୁ ଦୁଇବର୍ଷ ଜେଲ୍ : ଲୋକସଭା ସଦସ୍ୟତା ପଦ ଯିବ

ନୂଆଦିଲ୍ଲୀ : ୨୦୧୧ ମାରପିଟ ଘଟଣାରେ ବିଜେପି ସାଂସଦ ରାମ ଶଙ୍କର କଠେରିଆ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ମିଳିଛି ୨ ବର୍ଷ ଜେଲଦଣ୍ଡ। ଆଗ୍ରାରେ ଥିବା ସାଂସଦ/ବିଧାୟକ କୋର୍ଟର ସ୍ପେଶାଲ ମାଜିଷ୍ଟ୍ରେଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ଖବର ଅନୁଯାୟୀ ସାଂସଦ ରାମ ଶଙ୍କରଙ୍କୁ ଦୁଇବର୍ଷ ଜେଲ ଦଣ୍ଡ ମିଳିଥିବାରୁ ସେ ଲୋକସଭା ସଦସ୍ୟତା ହରାଇ ପାରନ୍ତି। ଜନପ୍ରତିନିଧି ଆଇନ ଅନୁସାରେ ଦୁଇବର୍ଷ ବା ତା’ଠାରୁ ଅଧିକ ଜେଲଦଣ୍ଡ ହେଲେ ଜଣେ ବିଧାୟକ କିମ୍ବା ସାଂସଦଙ୍କର ସଦସ୍ୟତା ପଦ ରଦ୍ଦ ହେବ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମାମଲାରେ ଏହି ପଦକ୍ଷେପ ନିଆଯାଇଥିଲା। ମାନହାନୀ କେସ୍ରେ ଗୁଜରାଟର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବାରୁ ତାଙ୍କର ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଥିଲା। ଅବଶ୍ୟ ଶୁକ୍ରବାର ଏହା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିବାରୁ ସେ ପୁଣି ସାଂସଦ ମାନ୍ୟତା ପାଇବେ। ତେଣୁ ନିୟମ ଅନୁସାରେ ରାମ ଶଙ୍କରଙ୍କ ସଦସ୍ୟତା ପଦ୍ଦ ପ୍ରାଥମିକ ଭାବେ ରଦ୍ଦ ହେବ।
ସୂଚନାଯୋଗ୍ୟ ୨୦୧୧ ନଭେମ୍ବର ୧୬ରେ ଗୋଟିଏ ମଲରେ ଥିବା ଟୋରେଣ୍ଟ ପାୱାର ଅଫିସରେ ପଶି ଭଙ୍ଗା ରୁଜା କରିବା ସହିତ ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ରାମ ଶଙ୍କର କହିଛନ୍ତି ମୁଁ କୋର୍ଟଙ୍କୁ ସମ୍ମାନ କରୁଛି। ରାୟକୁ ନେଇ ଉପର କୋର୍ଟରେ ଆବେଦନ କରିବି।