କେରଳର ନାଁ ହେବ କେରଳମ୍ : ବିଧାନସଭାରେ ସଂକଳ୍ପ ଗୃହୀତ

ତ୍ରିଭେନ୍ଦ୍ରମ : କେରଳର ନାଁ ହେବ କେରଳମ୍। ଏ ନେଇ କେରଳ ବିଧାନସଭାରେ ଏକ ସଂକଳ୍ପ ଗୃହୀତ ହୋଇଛି। ସରକାରୀ ଭାବେ ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି।
ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ନାମ ପରିବର୍ତ୍ତନ ସଂକଳ୍ପ ଆଗତ କରିଥିଲେ। ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ ରାଜ୍ୟର ନାମ ପରିବର୍ତ୍ତନ କରି ‘କେରଳମ୍’ କରିବାକୁ କେନ୍ଦ୍ର ସରକାରଙ୍କୁ ସେ ଅନୁରୋଧ କରିଥିଲେ। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ୟୁଡିଏଫ (ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ) କୌଣସି ସଂଶୋଧନ କିମ୍ବା ପରିବର୍ତ୍ତନ ପ୍ରସ୍ତାବ ନ ଦେଇ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ବାଚସ୍ପତି ଏଏନ୍ ଶମସିର ସମର୍ଥନ ଆଧାରରେ ବିଧାନସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବଟି ଗୃହୀତ ହୋଇଥିବା ଘୋଷଣା କରିଥିଲେ।