ବୃହସ୍ପତି ଚଳନ କେଉଁ ରାଶି ପାଇଁ କେମିତି

ଦେବଗୁରୁ ବୃହସ୍ପତି ୨୦୨୩ ଅପ୍ରେଲ୍‌ ୨୨ ତାରିଖ ପ୍ରାତଃ ୬ଟା ୧୩ ମିନିଟରେ ମୀନ ରାଶିରୁ ଅଶ୍ୱିନୀ ମେଷ ରାଶିକୁ ଚଳନ କରିବେ। ବୃହସ୍ପତି ଚଳନ ଯୋଗୁ କେଉଁ ରାଶି ଉପରେ ରହିବ କି ପ୍ରଭାବ ଆସନ୍ତୁ ଜାଣିବା।

ମେଷ- ଅପ୍ରେଲ୍‌ ୨୨ରୁ ମେଷ ରାଶିର ଜନ୍ମ ବୃହସ୍ପତି। ଏହି ଜନ୍ମ ବୃହସ୍ପତି ପାଇଁ ରାମଚନ୍ଦ୍ର ବନଗାମୀ ହୋଇଥିଲେ। ତେଣୁ ଆପଣ ଭ୍ରମଣରେ ଯାଇପାରନ୍ତି। ହେଲେ ଖୁସିକୁ ଉପଭୋଗ କରିନପାରି ସମୟ ନଷ୍ଟ କରିବେ। ବିବାହ ଓ ଶୁଭ କାର୍ଯ୍ୟରେ ବିଳମ୍ବ ହେବ। ପେଟ ରୋଗ ସମସ୍ୟା ଦେଖାଦେବ। ଖର୍ଚ୍ଚାନ୍ତ ହେବେ। ସଞ୍ଚୟ ହୋଇପାରିବନି। ମାନସିକ ଚିନ୍ତା ଲାଗି ରହିବ। ଆଗାମୀ ଅକ୍ଟୋବର ଠାରୁ କିଛିଟା ସୁଫଳ ପ୍ରାପ୍ତି ହେବ।

ବୃଷ- ଏହି ରାଶିର ଦ୍ୱାଦଶ ବୃହସ୍ପତି। ରାହୁ ଯୁକ୍ତ ହୋଇ ବୃହସ୍ପତି ଗୁରୁଚଣ୍ଡାଳ ଦୋଷ ସୃଷ୍ଟି କରିଛନ୍ତି। ଏହା ଅଶୁଭ ଫଳ ପ୍ରଦାନ କରିବା ସହିତ ମାନସିକ ଅଶାନ୍ତି, ପାରିବାରିକ କଳହ ଓ ଦାମ୍ପତ୍ୟ ଜୀବନରେ ମତାନ୍ତର ଲାଗିରହିବ।ଯାନବାହନରେ ସର୍ବଦା ସତର୍କତା ଅବଲମ୍ବନ କରିବାକୁ ପଡିବ। ଭଲ କରିବାକୁ ଚାହୁଁଥିଲେ ଖରାପ ହେବ।

ମିଥୁନ- ଏହି ରାଶିର ଏକାଦଶ ବୃହସ୍ପତି। ଅକ୍ଟୋବର ୩୦ ପର୍ଯ୍ୟନ୍ତ ରାହୁଯୁକ୍ତ ହୋଇରହିବେ। ଫଳରେ ମିଶ୍ର ଫଳ ପ୍ରାପ୍ତି ହେବ। ବିବାହ ଧାର୍ଯ୍ୟ ହେବ। ନୂତନ କର୍ମନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେବ।

କର୍କଟ- ଏହି ରାଶିର ୧୦ମ ବୃହସ୍ପତି। ଏଭଳି ସମୟରେ ମଧୁ କୈଟଭର ବିନାଶ ହୋଇଥିଲା। ତେଣୁ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ବାଧା ଉପୁଜିପାରେ। ପିଲାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ପଡିବେ। ରୁଣ ଭାର ବୃଦ୍ଧି ଓ ଚାକିରିରେ ଯୋଗଦାନ ବିଳମ୍ବ ହେବ। ବ୍ୟବସାୟରେ ବିଶେଷ ଲାଭର ଯୋଗନାହିଁ।

ସିଂହ- ଆପଣାକୁ ଏହି ସମୟ ସବୁ ପ୍ରକାର ଶୁଭଦାୟକ। ଅର୍ଥ ନିବେଶ କଲେ ଲାଭଦାୟକ ହେବ। ବୃହସ୍ପତିଙ୍କ ଶୁଭ ଦୃଷ୍ଟିରୁ ଚାକିକିରେ ପଦୋନ୍ନିତ ସହିତ ବିବାହ ଓ ପରିବାରକୁ ମିଳିବ ସୁଖ। କିଛି ମାତ୍ରାରେ ମାନସିକ ଦୁଶ୍ଚିନ୍ତା ରହିଲେ ହେଁ ମଧ୍ୟ ସମାଧାନର ବାଟ ଦେଖାଦେବ। ଚାହୁଁଥିବା କାର୍ଯ୍ୟ ପୂର୍ଣ୍ଣ ହେବ।

କନ୍ୟା- ଏହି ରାଶି ପାଇଁ ୮ମ ବୃହସ୍ପତି। ଏହିଭଳି ସମୟରେ ମହାମାନି ଦୁର୍ଯ୍ୟଧନର ବିନାଶ ଘଟିଥିଲା। ମାନିସିକ ଓ ଶାରିରୀକ ସମସ୍ୟା ଦେଖାଦେବ। ଅର୍ଥହାନୀର ସମ୍ଭାବନା ରହିଥିବା ବେଳେ ନିବେଶ କରିବା ଉଚିତ ନୁହେଁ। ବିଦେଶ ଯାତ୍ରା ପାଇଁ ସମୟ ଅନୁକୂଳ ନୁହେଁ। ମନରେ ସର୍ବଦା ଗ୍ଲାନି ଭାବ ରହିବ। ବନ୍ଧୁ ହଟହଟା କରିବାର ସମ୍ଭାବନା। ଏପରକି ପରିବାରରୁ ବିଚ୍ଛିନ ମଧ୍ୟ ହୋଇପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ। ପରିଶ୍ରମ ଅନୁଯାୟୀ ଫଳ ମିଳିବନି।

ତୁଳା- ଏହି ରାଶିର ୭ମ ବୃହସ୍ପତି। ସର୍ବଦା ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ। ଏହି ଯୋଗଥିଲେ ରାଜସମ୍ମାନ ପ୍ରାପ୍ତି ହୁଏ। ରାଜନୀତିରେ ନିଜ ସ୍ଥାନ ବଜାୟ ରହିବ। ପରିବାରରେ ଆଧିପତ୍ୟ ବଢିବା ସହିତ ଅର୍ଥ ଉପାର୍ଜନର ମାର୍ଗ ଖୋଲିବ। ନିବେଶ ପାଇଁ ଏସମୟ ଅତ୍ୟନ୍ତ ଶୁଭଦାୟକ। ଆପଣ କର୍ମକୁ ନେଇ ସବୁ କ୍ଷେତ୍ରରେ ସମ୍ମାନିତ ହେବେ। ଚାକିରିରେ ଉନ୍ନତି ଓ ସନ୍ତାନ ସୁଖ ଲାଭ କରିବେ।

ବିଛା- ଏହି ରାଶିର ୬ଷ୍ଠ ବୃହସ୍ପତି। ବୃହସ୍ପତ୍ତିଙ୍କ ଏହି ଅବସ୍ଥିରେ କର୍ଣ୍ଣ ରାଜାଙ୍କ ବିନାଶ ହୋଇଥିଲା। ତେଣୁ ଧନହାନୀ ହେବ। ଅକସ୍ମିକ ଧନୀରୁ ନିର୍ଧନ ହେବାର ଯୋଗ ଦେଖାଇଦେଇପାରେ। ଲୋଭରେ ପଡି କ୍ଷତ ସହିବେ। ଆୟଠାରୁ ଖର୍ଚ୍ଚ ଅଧିକ ବଢିବ। ଦୂର ଯାତ୍ରା ଯୋଗ ରହିଛି। ପାରିବାରିକ ସମସ୍ୟା ଦେଖାଦେବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାର ରହିପାରନ୍ତି।

ଧନୁ- ଏହି ରାଶିର ପଞ୍ଚମରେ ବୃହସ୍ପତି। ସବୁ ଶୁଭଦାୟକ। ସନ୍ତାନ ଲାଭ। ବିବାହ, ବ୍ରତ, ଗୃହ ପ୍ରତିଷ୍ଠା ଭଳି ଶୁଭ କାର୍ଯ୍ୟ ଏହି ସମୟରେ ଶୁଭ। ଜମି ଓ ଅଳଙ୍କାର କ୍ରୟର ସଠିକ୍‌ ସମୟ। ଦ୍ରବ୍ୟ ଲାଭର ଯୋଗ ରହିଛି। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ବ୍ୟବସାୟରେ ଆଶାଠୁ ଅଧିକ ଲାଭ। ଚାକିରିରେ ବିଳମ୍ବ ହେଲେ ମଧ୍ୟ ସଫଳତା। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର- ଏହି ରାଶିର ପାଇଁ ୪ର୍ଥରେ ବୃହସ୍ପତି। ମାନସିକ ଦୁଶ୍ଚିନ୍ତା ବଢିବ। କର୍ମକ୍ଷେତ୍ରରେ ଦେଖାଦେବ ସମସ୍ୟା। ଆର୍ଥିକ ସ୍ଥିତିରେ ଅବନୀତି ଓ ପାରିବାରିକ ସମସ୍ୟା ବିଚଳିତ କରିବ। ଅଜାଣତରେ ଶତ୍ରୁ ବୃଦ୍ଧି। ଅନ୍ୟର ଭଲ ଚାହୁଥିଲେ ତାହା ଖରାପ ହେବ। ବ୍ୟବସାୟରେ ଜଗିରଖି କାମ କରନ୍ତୁ।

କୁମ୍ଭ- ଏହି ରାଶିର ତୃତୀୟରେ ବୃହସ୍ପତି। ବଳି ରାଜା ପାତାଳ ଗାମୀ ହୋଇଥିଲେ। ବିଭିନ୍ନ ଶାରୀରକ ସମସ୍ୟା ଦେଖାଦେବ। ଅଧିକ ପରିଶ୍ରମରେ ଅଳ୍ପ ଫଳ ପ୍ରାପ୍ତ। ବିଳମ୍ବରେ ସଫଳତା। ଆୟଠୁ ଅଧିକ ଖର୍ଚ୍ଚ। ଭ୍ରମଣରେ ଖର୍ଚ୍ଚାନ୍ତ ହେବେ। ଏହି ସମୟ ମଧ୍ୟରେ ଅଧିକ ଧାତୁ କ୍ଷୟ ହୋଇଥାଏ। ମନ ସର୍ବଦା ଅସ୍ଥିର ରହିବ।

ମୀନ- ଏହି ରାଶିର ୨ୟରେ ବୃହସ୍ପତି ଅତ୍ୟନ୍ତ ଶୁଭଦାୟକ। ମାନସିକ ଶାନ୍ତି ଓ ପରିବାରରେ ଖୁସିର ବାତାବରଣ ରହିବ। ଯେଉଁ କାର୍ଯ୍ୟ କରିବେ ସଫଳ ହେବେ। ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ। ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲେ ଉତ୍ତୀର୍ଣ୍ଣ ହେବାର ଯୋଗରହିଛି। ନୂଆ ଚାକିରି କିମ୍ବା ବ୍ୟବସାୟ ପାଇଁ ଏହି ସମୟ ଅନୁକୂଳ। ଅଧିକ ଅର୍ଥପ୍ରାପ୍ତିର ଯୋଗ ରହିଛି ।

Leave a Reply

Your email address will not be published. Required fields are marked *

Back to top button