ଗଜବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ : ଆଜି ଦେବସ୍ନାନ ପୂର୍ଣ୍ଣିମା। ୧୦୮ ସୁବାସିତ ଗରା ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ହାତୀବେଶରେ ଭକ୍ତଙ୍କୁ ଦେଉଛନ୍ତି। ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି।

ଖବର ଅନୁଯାୟୀ ରବିବାର ସକାଳେ ଘଣ୍ଟଘଣ୍ଟାର ତାଳେ ତାଳେ ତିନି ଦିଅଁ ଓ ଚକ୍ରରାଜ ସୁଦର୍ଶନ ରତ୍ନବେଦୀରୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ। ବିଭିନ୍ନ ନୀତିକାନ୍ତି ପରେ ସୁନା କୂଅର ୧୦୮ କୁମ୍ଭ ସୁବାସିତ ଜଳରେ ତିନି ଠାକୁରଙ୍କ ସ୍ନାନ ସଂପନ୍ନ ହୋଇଥିଲା। ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ। ଏହାପରେ ମହାପ୍ରଭୁଙ୍କୁ ହାତୀ ବେଶରେ ସଜାଇ ଦିଆଯାଇଥିଲା। ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଭକ୍ତଙ୍କ ଉପରେ ଜଳସିଞ୍ଚନ ଓ ଠାକୁର ଦର୍ଶନ ଶୃଙ୍ଖଳିତ କରିବାକୁ ପୋଲିସ ସହ ଜିଲ୍ଲା ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଥିଲା।

ଅନ୍ୟପକ୍ଷରେ ଶ୍ରୀଜିଉଙ୍କ ସ୍ନାନ ନୀତିରେ ବିଳମ୍ବ ଓ ବିଶୃଙ୍ଖଳା ସାଙ୍ଗକୁ ତିନିଟି ଅଘଟଣ ଘଟିଛି। ଠାକୁରଙ୍କ ମଙ୍ଗଳାର୍ପଣ ଆଜି ଭୋର ୩ଟା ୩୦ରୁ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ଭୋର ୪ଟା ୪୫ ଅନୁଷ୍ଠିତ ହେବାରୁ ନୀତିରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହୋଇଥିଲା। ପରେ ଡୋରଲାଗି, ପୁଷ୍ପାଞ୍ଜଳି ଓ ପହଣ୍ଡି ନୀତିରେ ବିଳମ୍ବ ଘଟିବାରୁ ୧୧ଟା ୪୦ରେ ହେବାକୁ ଥିବା ଜଳବିଜେ ନୀତି ୧୨ଟା ୨୦ ମିନିଟରେ ଆରମ୍ଭ ହୋଇଥିଲା। ଠାକୁରଙ୍କ ହାତୀବେଶ ଦିନ ପ୍ରାୟ ୨.୪୦ରେ ହେବାକୁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଏହି ବେଶ ୪.୪୫ରେ ଆରମ୍ଭ ହୋଇଥିଲା। ଜଳବିଜେ ନୀତି ସମାପନ ପରେ ଜଣେ ସେବାୟତଙ୍କ ଗୋଡ଼ରେ ଆଘାତ ଲାଗି ସ୍ନାନ ମଣ୍ଡପରେ ରକ୍ତଛିଟା ଲାଗିବାରୁ ପୁଣି ମହାପ୍ରଭୁଙ୍କର ମହାସ୍ନାନ ହୋଇଥିଲା। ସେହିପରି ଶ୍ରୀମନ୍ଦିରରେ ରାଜସ୍ଥାନର ଜଣେ ଭକ୍ତ ଦର୍ଶନ କରିବା ବେଳେ ହଠାତ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ପୁରୀ ବଡ଼ ମେଡିକାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆସନ୍ତାକାଲି ଠାରୁ ଅନବସର ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଅଧିକ ସ୍ନାନ କରିବା ଯୋଗୁ ଶ୍ରୀଜୀଉଙ୍କୁ ଜ୍ୱର ଆସିଥାଏ। ତେଣୁ ଆସନ୍ତାକାଲି ଠାରୁ ୧୫ ଦିନ ପାଇଁ ଶ୍ରୀଜୀଉ ଅଣସର ଘରେ ରହିବେ। ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ। ରତ୍ନ ସିଂହାସନରେ ଠାକୁର ନଥିବାରୁ ଙ୍କ ଦର୍ଶନ ନପାଇ ଭକ୍ତମାନେ କାଲିଠାରୁ ଅଲାରନାଥ ଦର୍ଶନ କରିବେ। ସେଥିପାଇଁ ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଜମିବ। ଏଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ରହ୍ମଗିରିରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button