ଝାରସୁଗୁଡ଼ା ଉପନିର୍ବାଚନରେ ଜିତିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ଵର : ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ବିଜୟୀ ହୋଇଛନ୍ତି। ବାପା ନବ ଦାସଙ୍କ ଠାରୁ ଅଧିକ ଭୋଟରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଜୟ ସହ ଝାରସୁଗୁଡ଼ାର ବିକାଶ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବା ପାଇଁ ଦେଇଛନ୍ତି ପରାମର୍ଶ। ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡ଼ାବାସୀଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବିଜୟ ପରେ ଗଣମାଧ୍ୟମକୁ ଦୀପାଳି କହିଛନ୍ତି ଏହି ବିଜୟ ପାଇଁ ମୁଁ ଝାରସୁଗୁଡ଼ାବାସୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ବିଜେଡିର ୩ ପର୍ଯ୍ୟବେକ୍ଷକ, ସମସ୍ତ ନେତା ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଉଛି। ବିଜୁ ଜନତା ଦଳ ସବୁବେଳେ ବିକାଶ ପାଇଁ ଲଢ଼ିଛି। ବିକାଶ ପାଇଁ ଠିଆ ହୋଇଛି। ଝାରସୁଗୁଡ଼ା ମାଟିରେ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ପଡ଼ିଛି। ଏହି ଅଞ୍ଚଳରେ ବିକାଶକୁ ଆଉ କେହି ଅଟକାଇ ପାରିବେନି। ମୋ ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ। ତାହାର ସମସ୍ତ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଶ୍ଚିତ ଭାବରେ ମୁଁ କରିବି।

ଖବର ଅନୁଯାୟୀ ଝାରସୁଗୁଡା ଉପନିର୍ବାଚନରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ବିଜୟ ନେଇ ଆଶାବାଦୀ ଥିଲେ। କିନ୍ତୁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟଙ୍କଧର ତ୍ରିପାଠୀଙ୍କୁ ୪୮,୭୨୧ ଭୋଟରେ ପରାଜିତ କରିଛନ୍ତି। ହେଲେ ୨୦୧୯ ନିର୍ବାଚନ ତୁଳନାରେ ଉଭୟ ବିଜେଡି ଓ ବିଜେପିର ଭୋଟ୍ ବଢ଼ିଛି। ସାଧାରଣ ନିର୍ବାଚନ ଅପେକ୍ଷା ବିଜେଡିର ଭୋଟ୍ ୮୩୮୩ ବଢ଼ିଛି।୨୦୧୯ରେ ନବ ଦାସ ପାଇଥିଲେ ୯୮, ୬୨୦ ଭୋଟ୍ ପାଇଥିଲେ। ଝିଅ ଦୀପାଳିଙ୍କୁ ୧ ଲକ୍ଷ ୭ ହଜାର ୩ ଭୋଟ୍ ମିଳିଛି। ସେହିପରି ୨୦୧୯ ଅପେକ୍ଷା ବିଜେପିର ଭୋଟ୍ ୫୪୬୩ ବଢ଼ିଛି। ୨୦୧୯ରେ ବିଜେପି ପ୍ରାର୍ଥୀ ଦୀନେଶ ଜୈନ ପାଇଥିଲେ ୫୨, ୯୨୧ ଭୋଟ୍। ଏଥର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮, ୩୮୪ ଭୋଟ୍ ମିଳିଛି। ସେହିପରି ୨୦୧୯ ଅପେକ୍ଷା କଂଗ୍ରେସର ୧୪, ୩୫୦ ଭୋଟ୍ କମିଛି। ୨୦୧୯ରେ କଂଗ୍ରେସର ମହେନ୍ଦ୍ର ନାଏକ ପାଇଥିଲେ ୧୮, ୮୨୩ ଭୋଟ୍। ଏଥର ଏହି ଦଳର ପ୍ରାର୍ଥୀ ତରୁଣ ପାଣ୍ଡେ ମାତ୍ର ୪୪୭୩ ଭୋଟ୍ ପାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button