ଅଭିଯୋଗ ଆଣୁଥିବା ବିରୋଧୀଙ୍କର ମେଣ୍ଟାଲ ହେଲଥ୍ ଭଲ ନାହିଁ : ଅରୁଣ

ଭୁବନେଶ୍ଵର : ବିଧାନସଭାର ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରାଜ୍ୟରେ ଏବେ ଗୁମାସ୍ତା ଶାସନ ଚାଲିଛି। ଗଣତନ୍ତ୍ରର ହତ୍ୟା କରାଯାଉଛି। ବିରୋଧୀଙ୍କ ଏଭଳି ପ୍ରଶ୍ନର ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।
ଖବର ଅନୁଯାୟୀ ଶୂନ୍ୟକାଳରେ ଅରୁଣ କହିଛନ୍ତି ବିରୋଧୀ ଜ୍ଞାନ ବାଣ୍ଟୁଛନ୍ତି କିନ୍ତୁ ଜ୍ଞାନ ଗ୍ରହଣ କରୁନାହାନ୍ତି। ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ, ଗୃହରେ ଯାହା ଚାହିଁବେ ତାହା କହିବେ। ଯେଉଁମାନେ ଅଭିଯୋଗ ଆଣୁଛନ୍ତି ସେମାନଙ୍କ ମେଣ୍ଟାଲ ହେଲଥ ଭଲ ନାହିଁ। ଯେଉଁମାନେ କହୁଛନ୍ତି ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ଯାଉନାହାନ୍ତି ତେବେ କୋଭିଡରେ କିଏ ଯାଉଥିଲେ ବୋଲି ଅରୁଣ ପ୍ରଶ୍ନ କରିବା ସହିତ ସମ୍ପୂର୍ଣ ତଥ୍ୟ ନେଇକି ଆସିବାକୁ ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି।
ସେ କହିଛନ୍ତି, ୫-ଟି ହେଉଛି ଏକ ଚିନ୍ତାଧାରା। ଯିଏ ପ୍ରଭାବିତ ହୁଅନ୍ତୁ କି ନ ହୁଅନ୍ତୁ ଦୁଇ ବିରୋଧୀ ମିଶ୍ର ବେଶୀ ପ୍ରଭାବିତ ହୋଇଛନ୍ତି। ୫-ଟିକୁ ଦୁଇ ମିଶ୍ର ପିଇ ଦେଇଛନ୍ତି। ୫-ଟି ପାଇଁ କଣ ହୋଇଛି ତାହା ଆଗ ନିଜ ନିର୍ବାଚନମଣ୍ଡଳୀର ବିକାଶକୁ ଦେଖି ଆସନ୍ତୁ ବୋଲି କହିଥିଲେ ଅରୁଣ। ଏଥିସହ ବିରୋଧୀଙ୍କୁ ବିତର୍କ ପାଇଁ ଆହ୍ୱାନ ଦେଇ ଅରୁଣ କହିଛନ୍ତି ଯଦି ୫-ଟି ଦ୍ୱାରା ତାଙ୍କ ଅଞ୍ଚଳରେ କିଛି ହୋଇନଥିବ ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି। ସୁସ୍ଥ ମସ୍ତିଷ୍କ ନେଇ ବିଧାନସଭା ଆସନ୍ତୁ। ବିରୋଧୀ ଏବେ ମେଣ୍ଟାଲ ହେଲଥ ଡ଼ିଜଅର୍ଡର ଅଛନ୍ତି। ଅନ୍ୟପଟେ ଅରୁଣଙ୍କ ମେଣ୍ଟାଲ ହେଲଥ ଡିଜଅର୍ଡର ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ଦାବି କରି ଗୃହରେ ବିଜେପି ସଦସ୍ୟ ହଙ୍ଗାମା କରିଥିଲେ।