ଲିଭ-ଇନ୍‌ ପାର୍ଟନରଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କାଟିଲା ପ୍ରେମିକ

ମୁମ୍ବାଇ : ମୟାନଗରୀ ମୁମ୍ବାଇରେ ନିର୍ମମ ହତ୍ୟାକାଣ୍ଡ। ଲିଭ- ଇନ୍‌-ପାର୍ଟନରଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କାଟି ନଷ୍ଟ କରିଦେଇଛି ୫୬ ବର୍ଷିୟ ମନୋଜ ସାହାଣୀ। ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ଖବର ଅନୁଯାୟୀ ମନୋଜ ସାହାଣୀ ଓ ସରସ୍ୱତୀ ବିଦ୍ୟା ମୁମ୍ବାଇର ଗୀତା ନଗରସ୍ଥିତ ଗୀତା ଆକାଶଦୀପ ବିଲ୍ଡିଂରେ ଗତ ୩ ବର୍ଷ ହେବ ଲିଭ- ଇନ୍‌ରେ ରହୁଥିଲେ। ଗତ କିଛିଦିନ ହେବ ପଡ଼ୋଶୀ ସରସ୍ୱତୀଙ୍କୁ ଦେଖିବାକୁ ପାଇନଥିଲେ। ତାଙ୍କ ଘରୁ ଦୁର୍ଗନ୍ଧ ଆସୁଥିବାରୁ ସେମାନେ ପୋଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଘରେ ସରସ୍ୱତୀଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ବେଳେ ତାହାକୁ ଗଛ କଟା ମେଶିନ ସାହାଯ୍ୟରେ ଟିକି ଟିକି କରି କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏପରିକି ମୃତଦେହର କିଛି ଅଂଶ ପ୍ରେସର କୁକରରେ ସିଝା ଯାଇଥିବା ପୋଲିସ ଦେଖିବାକୁ ପାଇଥିଲା।

ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କ ମୃତ୍ୟୁ ପ୍ରାୟ ୪ ଦିନ ପୂର୍ବରୁ ହୋଇଥିବାରୁ ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିଲା। ପୋଲିସ୍‌ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମୁଖ୍ୟ ଅଭିଯୁକ୍ତ ମନୋଜଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ହତ୍ୟା ପଛର କାରଣ ଜଣାପଡ଼ିନି। ପଡ଼ୋଶୀ କହିଛନ୍ତି ସରସ୍ୱତୀ ଓ ମନୋଜଙ୍କ ମଧ୍ୟରେ କିଛିଦିନ ହେବ ସମ୍ପର୍କ ଭଲ ନ ଥିଲା। ସେମାନେ ପାଟିତୁଣ୍ଡ କରୁଥିଲେ। ଏହି ଘଟଣାରେ ନ୍ୟାସନାଲ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ଚିନ୍ତା ପ୍ରକଟ କରିବା ସହ ନିଜ ଆଡୁ ମାମଲା ରୁଜୁ କରିବାକୁ ମହାରାଷ୍ଟ୍ର ଡିଜିପିଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button