୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ, ଓ ତେଲେଙ୍ଗାନା ନିମନ୍ତେ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମଧ୍ୟପ୍ରଦେଶର ୧୪୪ ବିଧାନସଭା ଆସନର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ଛତିଶଗଡ଼ ୩୦ ଓ ତେଲେଙ୍ଗାନାର ୫୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି।

ଖବର ଅନୁଯାୟୀ ମଧ୍ୟ ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଦଳ ଛିନ୍ଦୱାଡ଼ାରୁ ପ୍ରାର୍ଥୀ କରିଛି। ୨୦୧୯ ଉପନିର୍ବାଚନରେ କମଲ ନାଥ ଏହି ଆସନରୁ ବିଜୟୀ ହୋଇଥିଲେ। ସେହିପରି ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହଙ୍କୁ ଚାଚୌଡ଼ା ଆସନରୁ ପ୍ରାର୍ଥୀ କରାଯାଇଛି। ୨୦୧୮ ବିଧାନସଭା ନିର୍ବାଚନରେ ଲକ୍ଷ୍ମଣ ସିଂହ ଏହି ଆସନରୁ ବିଜୟୀ ହୋଇଥିଲେ। ଦିଗବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂହଙ୍କୁ କଂଗ୍ରେସ ରାଘୋଗଡ଼ ଆସନରୁ ପ୍ରାର୍ଥୀ କରିଛି। ସେ ଏହି ଆସନରୁ ୨୦୧୩ ଓ ୨୦୧୮ରେ ବିଜୟୀ ହୋଇଥିଲେ। ବିକ୍ରମ ମସ୍ତାଲଙ୍କୁ ବୁଧନୀ ଆସନରୁ କଂଗ୍ରେସ ପ୍ରାର୍ଥୀ କରିଛି। କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩୦ ଜଣ ଅନୁସୂଚୀତ ଜନଜାତି ଓ ୨୨ ଜଣ ଅନୁସୂଚୀତ ଜାତିର ପ୍ରାର୍ଥୀ ଅଛନ୍ତି। ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ। ମଧ୍ୟ ପ୍ରଦେଶ ବିଧାନସଭାରେ ୨୩୦ଟି ଆସନ ରହିଛି।

ସେହିପରି ଛତିଶଗଡ଼ରେ ଉପମୁଖ୍ୟ ଟିଏସ୍‌ ସିଂହ ଅମ୍ବିକାପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏଠାରୁ ସେ ୨୦୦୮ରୁ ବିଜୟୀ ହୋଇଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପାଟନା ଆସନରୁ ନିର୍ବାଚନ ଲଢିବେ। ସେ ଏହି ନିର୍ବାଚନମଣ୍ଡଳୀରୁ ୨୦୦୩, ୨୦୧୩ ଓ ୨୦୧୮ରେ ଜିତିଛନ୍ତି। ସୀତାପୁର ଆସନରୁ ୪ ଥର ଜିତିଥିବା ଅମରଜୀତ ଭଗତଙ୍କୁ ପୁଣି ଟିକେଟ ଦିଆଯାଇଛି। ଛତିଶଗଡ଼ ପାଇଁ ଘୋଷଣା ହୋଇଥିବା ୩୦ ଜଣ ପ୍ରାର୍ଥୀଙ୍କ ମାଧରେ ୧୪ ଜଣ ଅନୁସୂଚୀତ ଜନଜାତି ବର୍ଗର ରହିଛନ୍ତି। ପ୍ରଥମ ତାଲିକାରେ ରହିଛନ୍ତି ୩ ଜଣ ମହିଳା। ଏହାଛଡା ଯେଉଁ ବିଧାୟକମାନେ କଡ଼ା ମୁକାବିଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ସେମାନଙ୍କ ନାଁ ତାଲିକାରେ ଅଛି।

ତେଲେଙ୍ଗାନା ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୫୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏ.ଆର ରେଡ୍ଡୀଙ୍କୁ କୋଡ଼ଙ୍ଗଲ ଓ ଉତ୍ତମ କୁମାର ରେଡ୍ଡୀଙ୍କୁ ହୁଜୁରନଗର ଆସନ ପ୍ରାର୍ଥୀ କରାଯାଇଛି। ଦସାରୀ ସୀତକ୍କା ମୁଲୁଗୁ ଆସନରୁ, ମିନାପାଲ୍ଲୀ ରୋହିତ ରାଓ ମେଡକ ଓ ମିନାପାଲ୍ଲୀ ହନୁମନ୍ତ ରାଓ ମାଲକାଜଗିରି ଆସନ ପାଇଁ ଟିକେଟ ପାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button