ଡାକ୍ତର ଛୁଟିରେ ଥିବାରୁ ରୋଗୀ ଦେଖିଲେ ବିଧାୟକ

ସୁନ୍ଦରଗଡ : ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ବିଧାୟକ ରୋଗୀ ଦେଖିଲେ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହା ଦେଖିବାକୁ ମିଳିଛି।
ଖବର ଅନୁଯାୟୀ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬ ଜଣ ଡାକ୍ତର ଥିବାବେଳେ ସେଥିରୁ ୩ ଜଣ ନିୟମିତ ହୋଇନାହାନ୍ତି। ଦଶହରା ପାଇଁ ୫ ଜଣ ଛୁଟିରେ ଯାଇଥିବାରୁ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀ ଦେଖୁଥିବାରୁ ଲୋକେ ହଇରାଣ ହେଉଛନ୍ତି। ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି ସମସ୍ୟା ପାଇଁ କେତେକ ଫେରିଯାଉଛନ୍ତି। ଏହି ଖବର ପାଇ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି.ଏସ୍ ରାଜନ ଏକ୍କା ଡାକ୍ତରଖାନା ପରିଦର୍ଶନରେ ଆସିଥିଲେ। ସ୍ଥିତି ଦେଖିବା ପରେ ସିଡିଏମ୍ଓଙ୍କୁ ଫୋନ୍ କରିବାରୁ ସେ ସମସ୍ୟାର ସମାଧାନ ପାଇଁ ଅକ୍ଷମତା ପ୍ରକାଶ କରିଥିଲେ। ତେଣୁ ବିଧାୟକ ନିଜେ ରୋଗୀ ଦେଖିବାକୁ ବସିଥିଲେ।
ବିଧାୟକ ଡାକ୍ତର ସି.ଏସ୍ ରାଜନ ଏକ୍କା କହିଛନ୍ତି ଡାକ୍ତରଖାନାରେ ଜଣେ ଡାକ୍ତର ଅଛନ୍ତି। ସେ ଓପିଡି ସମ୍ଭାଳିବା ସହ ଓଟି ଓ ଅନ୍ୟାନ କାମ କରୁଛନ୍ତି। ଜଣେ ଡାକ୍ତର ଏକାବେଳେ ସବୁ ସମ୍ଭାଳିବା ସମ୍ଭବପର ହେଉନାହିଁ। ଏଥିପାଇଁ ବହୁତ ସଂଖ୍ୟାର ରୋଗୀ ଆସି ଫେରି ଯାଉଛନ୍ତି। ଏନେଇ ମୁଁ ସିଡିଏମଓଙ୍କ ସହ କଥା ହୋଇଥିଲି। ଡାକ୍ତରମାନେ ଛୁଟିରେ ଯାଇଛନ୍ତି ବୋଲି ସେ ମୋତେ କହିଥିଲେ। ସିଡିଏମଓ ନୂଆ ଆସିଛନ୍ତି। ଅନ୍ୟ ଡାକ୍ତର ଯୋଗାଇ ଦେବା ନେଇ ସେ ତାଙ୍କ ଅକ୍ଷମତା ମଧ୍ୟ ପ୍ରକାଶ କରିଥିଲେ। ସିଡିଏମଓଙ୍କ କଥା ଶୁଣି ମୁଁ ନିଜେ ରୋଗୀ ଦେଖି ପାରିବି ବୋଲି ଭାବିଥିଲି। ଏଇଟା ମୋ ପ୍ରୋଫେସନ୍। ଡାକ୍ତରଖାନା ପାଇଁ ଆହୁରି ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଏନେଇ ମୁଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବି।




























