ଓଡିଶାର ବିକାଶ ହେଉଛି ଆମର ପ୍ରାଥମିକତା : ନବ ନିଯୁକ୍ତ ରାଜ୍ୟପାଳ
ପୁରୀ : ଓଡିଶାରେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ପରିବାର ସହିତ ପୁରୀରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଆସନ୍ତାକାଲି ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି।
ଖବର ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ ପରେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଶ୍ରୀଜିଉଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରୁଛି। ଓଡିଶାର ଗରିବ, ନିଷ୍ପେସିତଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛି। ସମସ୍ତଙ୍କର ବିକାଶ ହେଉ, ସମସ୍ତେ ଖୁସିରେ ରୁହନ୍ତୁ ଏହା ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛି। ଓଡିଶାର ବିକାଶ ଆମର ପ୍ରଥମ ପ୍ରାଥମିକତା ଓ ଗରିବଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚାଇବା ଆମର ଲକ୍ଷ୍ୟ ରହିବ ବୋଲି କହିଛନ୍ତି।
ସେ କହିଛନ୍ତି ଓଡ଼ିଶାର ପ୍ରଗତି ଦେଶର ପ୍ରଗତି। ତେଣୁ ଓଡ଼ିଶାରେ ଏକପାଖିଆ ନହୋଇ ସୁଶାସନ ହୋଇପାରିବ ସେଦିଗରେ ଧ୍ୟାନ ରହିବ। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୨୪ ଘଣ୍ଟା ରାଜଭବନର ଦ୍ୱାର ଖୋଲା ରହିବ ବୋଲି ଶ୍ରୀ ଦାସ କରିଛନ୍ତି। ଏହାଛଡା ବିଶାଖପାଟଣା ଟ୍ରେନ ଦୁର୍ଘଟଣାରେ ମୃତାହାତଙ୍କ ଲାଗି ଦୁଃଖପ୍ରକାଶ କରିବା ସହ ସେମାନଙ୍କ ପରିବାର ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିବା କହିଛନ୍ତି। ସେ କହିଲେ ଧର୍ମ ପରମ୍ପରା ବଞ୍ଚି ରହିବା ଦ୍ୱାରା ଭାରତ ଖୁବଶୀଘ୍ର ବିଶ୍ୱଗୁରୁ ହୋଇପାରିବ। ଶ୍ରୀମନ୍ଦିର ଶୃଙ୍ଖଳା ଓ ଭକ୍ତଙ୍କ ସୁରୁଖୁରୁ ଦର୍ଶନ ଉପରେ ସେବାୟତଙ୍କ ସାଙ୍ଗରେ ଆଲୋଚନା କରିଥିବା କହିଛନ୍ତି। ଏଥିସହ ସିଂହଦ୍ୱାରରେ ଜଗାଦର୍ଶନ ପାଇଁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କୁ ହାତ ହଲେଇ ଅଭିବାଦନ ଜଣାଇ ଜୟ ଜଗନ୍ନାଥ ବୋଲି କହିଥିଲେ।