ଚିରଞ୍ଜୀବ କହିଲେ କଂଗ୍ରେସରେ କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି

ଭୁବନେଶ୍ୱର : ରାଜ୍ୟରେ ଯେଉଁଠି କଂଗ୍ରେସ ସ୍ଥିତି ଭଲ ସେଠି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି। ସେମାନେ ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲାରେ କଂଗ୍ରେସକୁ ଭାଗ ଭାଗ କରିବାକୁ ଚେଷ୍ଟାରେ ଅଛନ୍ତି ବୋଲି କହିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳ।
ଖବର ଅନୁଯାୟୀ ନିଲମ୍ବନର ଦୁଇଦିନ ପରେ ମୁହଁ ଖୋଲିଛନ୍ତି ଚିରଞ୍ଜୀବ। ଆଜି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ମୁଁ କଂଗ୍ରେସ ପରିବାରରୁ ଆସିଛି। ପିସିସି ସଭାପତିଙ୍କ ସୁପାରିଶ କ୍ରମେ ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା। ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ। ନିଲମ୍ବନ କରିବା ମୋତେ ଦାରୁଣ ଆଘାତ ଦେଇଛି। ଗୋଟିଏ କୁଚକ୍ରୀ ଗୋଷ୍ଠୀ ମୋତେ ଦୂରେଇବାକୁ ଓ ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲାରେ କଂଗ୍ରେସକୁ ଭାଗ ଭାଗ କରିବାକୁ ଚେଷ୍ଟାରେ ଅଛନ୍ତି।
ସେ କହିଲେ କଂଗ୍ରେସକୁ ସୁଦୃଢ କରିବାକୁ ଭୁବନେଶ୍ୱରରେ ଏକ ସଭାର ଆୟୋଜନ କରାଇଥିଲୁ।
ସତ କହିବା ଯଦି ପାପ, ତେବେ ମୁଁ ପାପ କରିଛି। ମୋ ପାଇଁ ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା ବୋଲି କୁହାଗଲା। ଧାମନଗର ଓ ପଦ୍ମପୁର ନିର୍ବାଚନରେ କାହାପାଇଁ ଖରାପ ପ୍ରଦର୍ଶନ ହେଲା ? ଯେଉଁମାନେ ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି ୨୫ ବର୍ଷ ହେଲା ଜିତିନାହାନ୍ତି। ଚକ୍ରାନ୍ତ କାହା ପରାମର୍ଶରେ ନିଆଯାଇଛି ସେକଥା ମୁଁ ଜାଣେନି। ମୁଁ ଜଣେ ସ୍ୱାଭିମାନୀ ଲୋକ କାର୍ଯ୍ୟାନୁଷ୍ଠାନକୁ ଡରେନି। ଦୁର୍ବଳ ଲୋକ ଅଭିଯୋଗ କରନ୍ତି। ମୁଁ କେଉଁଠି ଅଭିଯୋଗ କରିବିନି। ଏହାଛଡା ଚିରଞ୍ଜୀବ ସ୍ପଷ୍ଟ କହିଛନ୍ତି ୨୦୨୪ ନିର୍ବାଚନ ଲଢ଼ିବେ। ମୁଁ କଂଗ୍ରେସରୁ ଲଢ଼ିବି କିମ୍ବା ସ୍ୱାଧୀନ ଭାବେ ଲଢ଼ିବି ତାହା ସମୟ କହିବ। ପିସିସି ସଭାପତିଙ୍କୁ ଇସାରାରେ ସେ କହିଛନ୍ତି ଯିଏ ନିଜ ଛାଇକୁ ଡରୁଥିବା ଓ ଗୋଡ ତଳେ ମାଟିନଥିବା ଲୋକ ହିଁ ଏଭଳି ପଦକ୍ଷେପ ନେଇଛି।