ଆଇଟିଆର୍‌ ଆତଙ୍କବାଦ୍‌ ଲିଙ୍କ୍ : ଡଙ୍ଗାରେ ଟଙ୍କା ଆସୁଥିବା ସନ୍ଦେହ

କଟକ : ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଚାନ୍ଦିପୁର ଆଇଟିଆର୍‌ର ୫ ଜଣ ଠିକା କର୍ମଚାରୀ ଗିରଫ ହେବାଦିନଠାରୁ ତଦନ୍ତ ଜାରି ରହିଛି। କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ କରୁଛି ବାଂଲାଦେଶରୁ ଜଳପଥରେ ସେମାନଙ୍କ ପାଇଁ ଟଙ୍କା ଡଙ୍ଗାରେ ଆସୁଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଗିରଫ ଅଭିଯୁକ୍ତଙ୍କୁ ପୃଥକ ଜେରା କରାଯାଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଆଇଟିଆର୍‌ର ଠିକା କର୍ମଚାରୀ ଈଶ୍ୱର ବେହେରା ୨୦୧୫ରେ ଗିରଫ ହେବାପରେ ତା ନିକଟକୁ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ପାକିସ୍ତାନୀ ଆଇଏସ୍‌ଆଇ ଏଜେଣ୍ଟ ଟଙ୍କା ପଠାଉଥିବା କ୍ରାଇମବ୍ରାଞ୍ଚ୍କୁ ପ୍ରମାଣ ମିଳିଥିଲା। କିନ୍ତୁ ଏଥର ବସନ୍ତ ବେହେରାଙ୍କ ସମେତ ଗିରଫ ୫ ଜଣଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ବର୍ତ୍ତମାନ ସୁଦ୍ଧା ଟଙ୍କା କାରବାର ସ୍ପଷ୍ଟ ହୋଇନାହିଁ। ପାକିସ୍ତାନୀ ଆତଙ୍କବାଦୀ ବାଂଲାଦେଶ ମାଧ୍ୟମରେ ଏ ୫ ଜଣଙ୍କ ନିକଟକୁ ଜଳପଥରେ ଟଙ୍କା ପଠାଇଥିବା ସନ୍ଦେହରେ ପଚରାଉଚରା କରାଯାଇଉଛି। କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ୫ ଜଣଙ୍କୁ ଜେରା କରିଛି। ଚାନ୍ଦିପୁର ଥାନା ଝାମ୍ପୁରା ଶ୍ରୀକୋଣ ଅଞ୍ଚଳର ବସନ୍ତ ବେହେରା ଓ ଉତ୍ତରପ୍ରଦେଶର ସଚିନ କୁମାର ଛେତାଙ୍କୁ ଅଧିକ ସମୟ ଜେରା କରାଯାଇଛି. ଏ ଦୁଇଜଣ ନିୟମିତ ଉତ୍ତରପ୍ରଦେଶର ପାକିସ୍ତାନୀ ହ୍ୟାଣ୍ଡଲର୍‌ ସହିତ ହ୍ୱାଟସ୍‌ଆପ୍ ଚାଟିଂ କରିଥିବା କୁହାଯାଉଛି।

ଏହାବ୍ୟତୀତ ସେମାନଙ୍କ ନିକଟରୁ ଜବତ ହୋଇଥିବା ୪ ମୋବାଇଲ୍ ଫୋନ୍ ଓ ଗୋଟିଏ ଲାପଟପ୍‌ କ୍ରାଇମବ୍ରାଞ୍ଚ ଖୁବ ଶୀଘ୍ର ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟାରିକୁ ପଠାଇବ। ଏହା ମାଧ୍ୟମରେ ଆଇଟିଆରର କେଉଁ ଫଟୋ ଓ ଭିଡିଓ ରେକର୍ଡ ହୋଇ ଗତ ବର୍ଷକ ଭିତରେ ପଠାଯାଇଛି ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଥ୍ୟ ସଂଗ୍ରହ କରିବ। ଉତ୍ତରପ୍ରଦେଶର ହ୍ୟାଣ୍ଡଲର୍ ସହିତ ସେମାନେ କଥାବାର୍ତ୍ତାର ଭଏସ୍‌ ରେକର୍ଡିଂ କ୍ରାଇମବ୍ରାଞ୍ଚକୁ ଜବତ କରିବା କଷ୍ଟକର। କାରଣ ପ୍ରାୟତଃ ହ୍ୱାଟସ୍‌ଆପ୍‌ରେ କଥାବାର୍ତ୍ତା ହୋଇଥିବାରୁ ଭଏସ୍ ରେକର୍ଡ ସଂଗ୍ରହ ପାଇଁ ସମସ୍ୟା ହେଉଛି।

କେବଳ ସେତିକି ନୁହେଁ ବାଲେଶ୍ୱର ଚାନ୍ଦିପୁର ଆଇଟିଆର୍‌ରେ ଦ୍ୱିତୀୟ ଥର ଆତଙ୍କବାଦୀ ଲିଙ୍କ୍ ସାମ୍ନାକୁ ଆସିଥିବାରୁ ବାଂଲାଦେଶର ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି। ସେଥିପାଇଁ ଏବେ ପୋଲିସ ବିଭାଗ ଟାର୍ଗେଟରେ ରହିଛି ଉପକୂଳ ଓଡ଼ିଶାର ବାଂଲାଦେଶୀ। ବାଲେଶ୍ୱର, ଭଦ୍ରକର ଚାନ୍ଦବାଲି, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଖରିନାସୀ, ଜମ୍ବୁ, ଜଗତସିଂହପୁର ଜିଲ୍ଲା ପାରାଦୀପ ନୋଳି ଅଞ୍ଚଳରେ ନିର୍ଦ୍ଦିଷ୍ଟ ଭାବେ କେତେସଂଖ୍ୟାରେ ବାଂଲାଦେଶୀ ବେଆଇନ ଭାବେ ରହୁଛନ୍ତି ତାହାର ଖୋଳତାଡ଼ ଆରମ୍ଭ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button