ଆନ୍ଧ୍ରପ୍ରଦେଶ ଆମ୍ବୁଲାନ୍‌ସ୍‌ ଦୁର୍ଘଟଣାରେ ପଟ୍ଟାମୁଣ୍ଡାଇର ୪ ମୃତ

ବିଜୟୱାଡ଼ା : ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ଆମ୍ବୁଲାନସ୍‌ ଦୁର୍ଘଟଣା। ଆଜି ପ୍ରତ୍ୟୁଷରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଓଡ଼ିଶାର ୪ଜଣ ଲୋକ ପ୍ରାଣ ହରାଇଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ସେମାନେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଗ୍ରାମର। ବାଙ୍ଗାଲୋର୍‌ ଭିକ୍ଟୋରିଆ ହସ୍ପିଟାଲ୍‌ରେ ଜଣେ ଆତ୍ମୀୟଙ୍କୁ ଚିକିତ୍ସା କରାଇ ଗାଁକୁ ଫେରୁଥିଲେ।

ଖବର ଅନୁଯାୟୀ ଆମ୍ବୁଲାନ୍‌ସ୍ ଦୁର୍ଘଟଣା ତାୱାନାମପାଲ୍ଲୀ ମଣ୍ଡଳ ଅନ୍ତର୍ଗତ ବାଙ୍ଗାଲୋର୍‌-ତିରୁପତି ଜାତୀୟ ରାଜପଥର ତେଲ୍ଲା ଗୁଣ୍ଡଲାପାଲ୍ଲୀ ଅଞ୍ଚଳରେ ଘଟିଛି। ଡ୍ରାଇଭର୍‌ ‌ଢୁଳାଇ ପଡ଼ିବାରୁ ରାସ୍ତାରେ ଠିଆ ହୋଇଥିବା ତୈଳବାହୀ ଟ୍ୟାଙ୍କରକୁ ଆମ୍ବୁଲାନ୍‌ସ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିମାନେ ହେଲେ ଓଡ଼ିଶା ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୋବିନ୍ଦପୁର ଗ୍ରାମର। ବାଙ୍ଗାଲୋର୍‌ ଭିକ୍ଟୋରିଆ ହସ୍ପିଟାଲ୍‌ରେ ଜଣେ ଆତ୍ମୀୟଙ୍କୁ ଚିକିତ୍ସା କରାଇ ସେମାନେ ଗାଁକୁ ଫେରୁଥିଲେ।

ରିପୋର୍ଟ ଅନୁସାରେ ମୃତବ୍ୟକ୍ତିମାନେ ହେଲେ ମଞ୍ଜୁଲତା, ତ୍ରିଲୋଚନ, ଉମେଶଚନ୍ଦ୍ର ଓ ବିଜୟ। ୟାଦାମାରି ଓ କାନିପକ୍କମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତଙ୍କୁ ଚିତ୍ତୂର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି ଆନ୍ଧ୍ରପ୍ରଦେଶରେ ଆଜି ଘଟିଥିବା ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ତିରୁମାଳା ଦର୍ଶନ କରି କର୍ଣ୍ଣାଟକର ବେଲଗାବି ଫେରୁଥିବା ଲୋକମାନେ ମୃତ୍ୟୁ ବରଣ କରିଛନ୍ତି। ସେମାନେ ଯାତ୍ରା କରୁଥିବା ଗାଡ଼ିଟି ମାତାମପଲି ଛକରେ ଏକ ଲରି ସହିତ ମୁହାଁମୁହିଁ ଧକ୍କା ହେବାରୁ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button