ବିଜୁବାବୁଙ୍କ ସ୍ଥାପିତ ପାଇକ ଏକାଡେମୀ ବନ୍ଦ ହେଲା କାହିଁକି : ଅପରାଜିତା

ଖୋର୍ଦ୍ଧା : ତତ୍‌କାଳନୀ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାଇକ ସଂସ୍କୃତି ଓ କଳାର ପ୍ରଚାରପ୍ରସାର ପାଇଁ ପାଇକ ଏକାଡେମୀ ସ୍ଥାପନ କରିଥିଲେ। ଏହି ଏକାଡେମୀ କେଉଁ ପରିସ୍ଥିତିରେ ବନ୍ଦ ହେଲା ବିଜେଡି ସ୍ପଷ୍ଟୀକରଣ ରଖୁ ବୋଲି ଦାବି କରିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଶନିବାର ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଶୁକ୍ରବାର ପାଇକ ଏକାଡେମୀ ଗଠନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଠାକାର ସାଂସଦ ଭାବେ ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। ବିଜୁ ପଟ୍ଟନାୟକ ଏକ ସଂଗ୍ରହାଳୟ ଓ ପାଇକ ଏକାଡେମୀ କରିଥିଲେ। ଏହା କେଉଁ ପରିପ୍ରେକ୍ଷୀରେ ବନ୍ଦ ହୋଇଗଲା ​ଓ ବର୍ତ୍ତମାନ କାହିଁକି ପୁଣି ଥରେ ପାଇକ ଏକାଡେମୀର ଘୋଷଣା କରାଗଲା ବୁଝି ହେଉନାହିଁ।

ସେ କହିଛନ୍ତି ପାଇକ ସ୍ମାରକୀ ପାଇଁ ତତ୍‌କାଳୀନ ରାଷ୍ଟ୍ରପତି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ଶହେକୋଟି ଟଙ୍କା ଅନୁଦାନ ଘୋଷଣା କରିବ ସହିତ ପାଇକ ସ୍ମାରକୀ ନିର୍ମାଣ କରିବାକୁ ୫୦ଏକର ଜମି ମାଗିଥିଲେ। କିନ୍ତୁ ରାଜ୍ୟ ସରକାର ଜମି ନଦେଇ ବର୍ତ୍ତମାନ ପାଇକ ଏକାଡେମୀ ଘୋଷଣା କରିଛନ୍ତି। ଯାହା କେନ୍ଦ୍ର ସରକାର ସହ ପ୍ରତିସ୍ପର୍ଦ୍ଧାର ରାଜନୀତି ଭଳି ମନେହେଉଛି। ଯଦି ପାଇକ ଏକାଡେମୀ କଥା ଚିନ୍ତା କରୁଥିଲେ ତେବେ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ହୋଇଥିବା ପାଇକ ଏକାଡେମୀ ଓ ସଂଗ୍ରହାଳୟକୁ ପୁଣି ଆରମ୍ଭ କରିଥାନ୍ତେ। ଏହା ନକରି ଆମେ କେନ୍ଦ୍ର ସରକରାଙ୍କ ଠାରୁ ଆଗରେ ବୋଲି ଦେଖାଇହେବାକୁ ଏଭଳି ଘୋଷଣା କରିଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button