ରାଜଧର୍ମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଆହ୍ଵାନ

ମାଲକାନଗିରି : ରାଜ୍ୟରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ବିଭିନ୍ନ ସ୍ତରରେ ଦୁର୍ନୀତି ଯୋଗୁ ଆଜି ପର୍ଯ୍ୟନ୍ତ ବିକାଶ ହୋଇପାରୁ ନାହିଁ। କାମ ନଥିବାରୁ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ନିଜର ଚାରିପଟେ କଣ ଘଟୁଛି ସରକାର ଜାଣିପାରୁ ନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ନସାଜି ରାଜଧର୍ମ ପାଳନ କରନ୍ତୁ। ଏହି ଆହ୍ଵାନ ଦେଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଖବର ଅନୁଯାୟୀ ଡିଏନକେ ପଡ଼ିଆରେ ମାଲକାନଗିରି ବିକାଶ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯୋଗଦେଇଥିଲେ। ଏହି ଅବସରରେ ସେ କହିଲେ ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ବସୁଥିବା ସ୍ଥାନଠାରୁ ୨୦ କିଲୋମିଟର ଦୂରରେ ଜଣେ ତାମିଲନାଡୁର ପ୍ରଭାବଶାଳୀ ମହିଳା ୧୫୦ ଏକର ଜମି ଜବଦରଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି। ଚାଷୀ ଜମିକୁ ପାଣି ପାଉନଥିବା ବେଳେ ସାଧାରଣ ଜନତା ନିଜର ଜମିକୁ ଫେରି ପାରୁନାହାନ୍ତି। ରାଜଧାନୀରେ ଏଭଳି ଭାବେ ଜବରଦଖଲ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ସ୍ଥିତି କ’ଣ ରହିଥିବ ବୋଲି ପ୍ରଶ୍ନ କରିଛନ୍ତି।
ସେ କହିଲେ ମାଲକାନଗିରି ଜିଲ୍ଲାର ୭୫ ପ୍ରତିଶତ ଲୋକେ ଶ୍ରମିକ ଓ ଚାଷୀ। ରୋଜଗାର ସୁଯୋଗ ନଥିବାରୁ ସେମାନେ ନିଜର ପରିବାରକୁ ଛାଡ଼ି ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାରେ ଶିଳ୍ପ କେନ୍ଦ୍ରର ପ୍ରତିଷ୍ଠା କିମ୍ବା ଛୋଟ ଛୋଟ ଶିଳ୍ପ ବିକାଶ କରିଥିଲେ ଲୋକଙ୍କୁ ବାହାରକୁ ଯିବାକୁ ପଡ଼ିନଥାନ୍ତା। ଏଥିସହ ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକରେ ଜଳସେଚନର ସୁବିଧା ନାହିଁ। ଜିଲ୍ଲାବାସୀଙ୍କୁ କାମ ମିଳୁନଥିବା ବେଳେ ଠିକା କାମରେ ରାଜ୍ୟ ବାହାର ଠିକାଦାରକୁ ସୁଯୋଗ ଦିଆଯାଉଛି। ଜାତୀୟ ରାଜପଥ କଡରେ ଥିବା ପୁଷ୍କରିଣୀ ପୁନରୁଦ୍ଧାର କରି ପର୍ଯ୍ୟଟନ କେନ୍ଦ୍ର କରାଯାଇପାରିଥାନ୍ତା। କିନ୍ତୁ ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ।
ମାଲକାନଗିରି ଜିଲ୍ଲା ବିକାଶ ସମିତିର ଆବାହକ ଇ. ପ୍ରସାଦ ରାଓଙ୍କ ନେତୃତ୍ଵରେ ଅୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ। ଜୀବନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଗୁରୁ ଚରଣ ମହାନ୍ତି, ନିଶିକାନ୍ତ ନାୟକ, ଏରା ପଡିଆମୀ, କୁନାଲ ମିଶ୍ର, ମନ୍ମଥ ମଲ୍ଲିକ, ଟୁଟୁ ପାଢ଼ୀ, ସସ୍ମିତା ପାତ୍ର, ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତଥିଲେ।


























