ସୌମ୍ୟ ବାବୁ ବ୍ଲାକମେଲ୍‌ କରୁଛନ୍ତି : ଅତନୁ

ଭୁବନେଶ୍ଵର : ଦୈନିକ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ବିଜୁ ଜନତା ଦଳ ପାଇଁ ଚିନ୍ତାର କାରଣ ହୋଇଛନ୍ତି। ୫ଟି ସଚିବଙ୍କ ହେଲିକପ୍ଟର ବାବଦ ଖର୍ଚ୍ଚ ସମ୍ପର୍କରେ ଲେଖିବା ପରଠାରୁ ତାଙ୍କୁ ଟାର୍ଗେଟ କରାଯାଉଛି। ସେହିକ୍ରମରେ ବିଜେଡି ସାଧାରଣ ସମ୍ପାଦକ ଅରୁଣ ସାହୁ ସୌମ୍ୟଙ୍କୁ କଟାକ୍ଷ କରିଥିବା ବେଳେ ଆଜି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ସୌମ୍ୟ ବାବୁ ବ୍ଲାକମେଲ୍‌ କରୁଛନ୍ତି।

ଖବର ଅନୁଯାୟୀ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ସୌମ୍ୟ ବାବୁ ଦଳରେ ରହି ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି। ସେ କେବେ ତାଙ୍କ ଲକ୍ଷ୍ୟରେ ପହଞ୍ଚି ପାରିବେନି। ବିଗତ ଦିନମାନଙ୍କରେ ସୌମ୍ୟ ବାବୁ ବିଭିନ୍ନ ସ୍ତରରେ ବ୍ଲାକମେଲ୍‌ କରିଥିଲେ। ଆଜି ମଧ୍ୟ ସେ ବ୍ଲାକମେଲିଂକୁ ଆୟୁଧ କରୁଛନ୍ତି। ବ୍ଲାକମେଲ କଲେ ବିଜୁ ଜନତା ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି। ସୌମ୍ୟବାବୁ କ’ଣ ଓଡ଼ିଶାବାସୀ ଜାଣିଛନ୍ତି ? ସେ କହିଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍ କରି ସୌମ୍ୟ ବାବୁ ନିଜ ସଂପାଦକୀୟରେ ବାରମ୍ବାର ଲେଖୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା। ଲୋକଙ୍କ ଅଭିଯୋଗ ଆଣିଲେ ତାହାର ସମାଧାନ ହେଲା। ଏଥିରେ କ‘ଣ ଭୁଲ ରହିଲା ମୁଁ ବୁଝିପାରୁନି। ସୌମ୍ୟବାବୁଙ୍କର ଅସୁବିଧା କ’ଣ ମୁଁ ଜାଣିପାରୁ ନାହିଁ। ସେ ଲୋକଙ୍କୁ ପଚାରନ୍ତୁ ଲୋକେ କ’ଣ କହୁଛନ୍ତି ?

ଅନ୍ୟପକ୍ଷରେ ସୌମ୍ୟରଞ୍ଜନ ପଟ୍ଟନାୟକ ଅରୁଣ ଓ ଅତନୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ସେମାନଙ୍କ ପାଖରେ ଶବ୍ଦର ଅଭାବ ରହିଛି। ତେଣୁ ବ୍ଲାକମେଲିଂ ବ୍ଲାକମେଲିଂ ହେଉଛନ୍ତି। ସେମାନଙ୍କ କଥାର ଉତ୍ତର ଦେଇ ତାଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି। ଏସବୁ କଥା ସେମାନେ ମନରୁ କହୁଥିବା ମଧ୍ୟ ବିଶ୍ୱାସ ହେଉନି। ଏସବୁ କହିବାକୁ ତାଙ୍କ ଉପରେ ଚାପ ପଡୁଥିବାରୁ ସେମାନେ କହିବାକୁ ବାଧ୍ୟ ହେଉଛନ୍ତି। ନହେଲେ ପେଟପାଟଣା ବୁଡ଼ିଯିବ। ଜଣେ ଥରେ ମନ୍ତ୍ରୀ ପଦ ହରାଇଥିଲେ। ଆଉ ଥରେ ହରାଇ ପାରନ୍ତି। ଜଣେ ମନ୍ତ୍ରୀ ପଦ ହରାଇ ପୁଣି ସେହି ମନ୍ତ୍ରୀ ପଦ କଥା କହିଲେ। ଏ ନେତା ଏତେ ଅସହାୟ ଯେ ଯାହା ଉପରୁ କୁହାଯାଉଛି ସେୟା କହୁଛନ୍ତି। ବିଜେଡି ଲୋକ ଜାଣିଛନ୍ତି ଦଳର ସ୍ୱାର୍ଥ ପାଇଁ କ’ଣ ହେବା ଦରକାର। ଦଳର ସ୍ୱାର୍ଥ ପାଇଁ କହୁଛି କାହା ମନକୁ ନପାଇଲା କିଛି କହିବାର ନାହିଁ। ମୁଁ ବିଜେଡିର ସ୍ୱାର୍ଥ ଓ ଓଡ଼ିଶାର ସ୍ୱାର୍ଥ ପାଇଁ କହୁଛି।

Leave a Reply

Your email address will not be published. Required fields are marked *

Back to top button