ଭୁବନେଶ୍ୱର : କମିସନରେଟ୍ ପୋଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ହୋଇତିବା ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି।
ଖବର ଅନୁଯାୟୀ ଗୁରୁବାର ସକାଳେ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କର କଳ୍ପନା ଛକ ସ୍ଥିତ ସରକାରୀ ବାସଭବନ ଓ ପୈତୃକ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ କରାଯାଇଥିଲା। କରାଇଥିଲା। ଭିଜିଲାନ୍ସର ସ୍ଵତନ୍ତ୍ର ଜଜଙ୍କ ଆଦେଶକ୍ରମେ ସଦାନନ୍ଦ ବେହେରାଙ୍କ ପୁଅ ପ୍ରସନ୍ନ କୁମାର ବେହେରାଙ୍କ କଳ୍ପନା ଛକରେ ଥିବା ସରକାରୀ ଘର ଓ ଏହାର ସମ୍ପ୍ରସାରଣ ବିଲଡିଂ, ଡୁମଡୁମାଠାରେ ସ୍ପାର୍କ ଫର୍ନିଚର ପ୍ରାଇଭେଟ୍ ଲିମିଟେଡ୍, ଲିଙ୍ଗପୁରର ସନ୍ଥବିହାର ଫର୍ନିଚର ୱାର୍କସପ୍, ପାତ୍ରପଡ଼ା ସାଉଥ୍ ସିଟି ବାର୍ ଏବଂ ଖୋର୍ଦ୍ଧା ଜିଲ୍ଲାର ନୂଆପଡ଼ାରେ ଦୁଇମହଲା ବିଶିଷ୍ଟ ପୈତୃକ ଘରେ ଏହି ଚଢ଼ାଉ ଚାଲିଛି।
ଭିଜିଲାନ୍ସର ସୂଚନା ହେଲା ଡୁମଡୁମାରେ ୦.୨୫୦ ଏକର ଜମିକୁ ପ୍ରସନ୍ନ ୨୦୧୯ରେ ମାତ୍ର ୧ କୋଟି ୪୬ ଲକ୍ଷ ୬୦ ହଜାର ଟଙ୍କାରେ କିଣିଛନ୍ତି। ମାତ୍ର ଏହି ଜମିର ବଜାର ମୂଲ୍ୟ ଢେର ଅଧିକ ବୋଲି ଆକଳନ କରାଯାଇଛି। ସୋରୁମ ଓ ବେସମେଣ୍ଟ ୧୮ ହଜାର ବର୍ଗଫୁଟ ଜାଗାରେ ରହିଛି। ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ସୋରୁମରେ ଥିବା ଫର୍ଣ୍ଣିଚରର ଆକଳନ କରାଯାଉଛି। ଚଢ଼ଉରେ ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀଙ୍କ ନେତୃତ୍ୱରେ ୫ଟି ଟିମ୍ ସାମିଲ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ମନୀଷ ଅନୁରାଗ ହତ୍ୟା ମାମଲାରେ କନଷ୍ଟେବଳ ପ୍ରସନ୍ନ କୁମାର ବେହେରା ବହିଷ୍କୃତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।