ରାଜଧାନୀରେ ଶିକ୍ଷକ ମହାସମାବେଶ ୨୬ରେ
ଭୁବନେଶ୍ୱର : ଆସନ୍ତା ୨୬ରେ ରାଜଧାନୀ ଭୁବନେଶ୍ୱରରେ ହେବ ଶିକ୍ଷକ ମହାସମାବେଶ। ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ଆଜି ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ମହା ସମାବେଶରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହେବେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସବୁ ବିଇଓ ଅଫିସ୍ ଆଗରେ ଆନ୍ଦୋଳନ ଜାରି ରହିବ।
ଖବର ଅନୁଯାୟୀ କେନ୍ଦ୍ରୀୟ ହାରରେ ବେତନ, ଠିକା ନିଯୁକ୍ତି ଉଚ୍ଛେଦ ଓ ପୁରୁଣା ପେନ୍ସନ ବ୍ୟବସ୍ଥା ଲାଗୁ ଆଦି ଦାବିରେ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି। ଫଳରେ ସ୍କୁଲରେ ପାଠଳ ପଢ଼ା ଏକ ରକମ ବନ୍ଦ ହୋଇଯାଇଛି। ଯେଉଁ ସ୍କୁଲ ଖୋଲା ରହିଛି ସେଠାରେ ପାଠ ପଢ଼ା ହେଉନି। ପିଲାମାନେ ସ୍କୁଲ ଯାଉଛନ୍ତି ହେଲେ ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଆସୁଛନ୍ତି।
ଅନ୍ୟପକ୍ଷରେ ଦାବି ପୂରଣ ପରିବର୍ତ୍ତେ ରାଜ୍ୟ ସରକାର ଶିକ୍ଷକ ସଂଘରେ ଫାଟ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ଆନ୍ଦୋଳନରେ ସାମିଲ ଦୁଇଟି ଶିକ୍ଷକ ସଂଘ ହଠାତ୍ ଦୂରେଇ ଯାଇଥିବାରୁ ଏପରି ସନ୍ଦେହ ସୃଷ୍ଟି ହୋଇଛି। ହେଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି ଗଣମାଧ୍ୟମକୁ କହିଛନ୍ତି ଗଣତାନ୍ତ୍ରିକ ଦେଶରେ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ଅଛି। କିନ୍ତୁ ନିଜ ଦାବି ପୂରଣ ପାଇଁ ଅନ୍ୟର ହକ ଛଡ଼େଇ ନେବା ଅନୁଚିତ।