ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁ ଓ ଦୁଇମନ୍ତ୍ରୀଙ୍କ ଇସ୍ତଫା

ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି। ତାଙ୍କୁ ସମର୍ଥନ ଜଣାଇ ସାଧାରଣ ସମ୍ପାଦକ ଯୋଗିନ୍ଦର ଧିଙ୍ଗରା, କୋଷାଧ୍ୟକ୍ଷ ଗୁଲଜାର ଇନ୍ଦର ଚହଲ ଇସ୍ତଫା ଦେଇଥିବା ବେଳେ ଦୁଇଜଣ ମନ୍ତ୍ରୀ ରେଜିଆ ସୁଲତାନା ଓ ପରଗତ ସିଂହ ସମାନ ପଦକ୍ଷେପ ନେଇଛନ୍ତି।

ଖବର ଅନୁଯାୟୀ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘଦିନ ଧରି ବିବାଦ ପରେ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ଚଳିତ ମାସରେ ଇସ୍ତଫା ଦେଇଥିଲେ। ଏହାପରେ କଂଗ୍ରେସ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। କୁହାଯାଉଛି ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ହେଁ ଦଳ ନେଇଥିଲା ଅଲଗା ନିଷ୍ପତ୍ତି। ସେଥିପାଇଁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ ସେ ଲେଖିଛନ୍ତି ଜଣେ ବ୍ୟକ୍ତିଙ୍କ ଚରିତ୍ରର ଅବନତି ଆପୋଷ ବୁଝାମଣାଠାରୁ ଆରମ୍ଭ ହୁଏ। ପଞ୍ଜାବର ଭବିଷ୍ୟତ ଓ ପଞ୍ଜାବର କଲ୍ୟାଣର ଏଜେଣ୍ଡା ଉପରେ ମୁଁ କଦାପି ଆପୋଷ ବୁଝାମଣା କରିପାରିବି ନାହିଁ।

ସେହିପରି ସିଦ୍ଧୁଙ୍କୁ ସମର୍ଥନ କରି ଦୁଇଜଣ ମନ୍ତ୍ରୀ ଓ ଦଳର ସାଧାରଣ ସମ୍ପାଦକ ଯୋଗିନ୍ଦର ଧିଙ୍ଗରା ଇସ୍ତଫା ଦେଇଛନ୍ତି। କଂଗ୍ରେସ କୋଷାଧ୍ୟକ୍ଷ ପଦରୁ ଗୁଲଜାର ଇନ୍ଦର ଚହଲ ଇସ୍ତଫା ଦେବାପରେ ପଞ୍ଜାବ ସରକାରରେ ନୂଆ ମନ୍ତ୍ରୀ ହୋଇଥିବା ରେଜିଆ ସୁଲତାନା ଓ ପରଗତ ସିଂହ ପଦ ଛାଡ଼ିଛନ୍ତି। ରେଜିଆ ଓ ପରଗତଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଅଧ୍ୟକ୍ଷତାରେ ଜରୁରୀ କାଳୀନ ମନ୍ତ୍ରୀ ପରିଷଦ ବୈଠକ ବସିଛି। ଏଥିରେ ଆଗାମୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *

Back to top button