ଭାରତରେ ବାର୍ଷିକ ୧ ଲକ୍ଷ କର୍ଣ୍ଣିଆ ପ୍ରତିରୋପଣ ପାଇଁ ଚାରିଗୁଣା ଚକ୍ଷୁ ଦାତାଙ୍କ ଆବଶ୍ୟକତା ରହିଛି : ଡାକ୍ତର ଏନ୍ ଭି ରଘୁନାଥ ରାଓ

ଭୁବନେଶ୍ୱର : ସାରା ବିଶ୍ୱରେ ଦୃଷ୍ଟି ହୀନତା ହେଉଛି ଏକ ପ୍ରମୁଖ ଚିନ୍ତାର ବିଷୟ । ଭାରତରେ କର୍ଣ୍ଣିଆ, ଆଖିର ସ୍ୱଚ୍ଛ ବାହ୍ୟ ଲେୟାର ରେ କ୍ଷତି କାରଣରୁ ୨୦ ଲକ୍ଷ ଲୋକ ଦୃଷ୍ଟିହୀନତା ସମସ୍ୟାରେ ପୀଡ଼ିତ ଥିବା ଏକ ଆକଳନରୁ ଜଣାଯାଇଛି । ଯଦି ଚକ୍ଷୁର ପ୍ରତିରୋପଣକୁ ସଠିକ୍ ସମୟରେ କରାଯାଏ ତେବେ ଏହି କର୍ଣ୍ଣିଆ ଜନିତ ସମସ୍ୟାର ଏକ ଚତୁର୍ଥାଂଶକୁ ହ୍ରାସ କରାଯାଇପାରିବ । ଶରୀରର ଅନ୍ୟ ଅଙ୍ଗ ପରି ଆଖିର କର୍ଣ୍ଣିଆକୁ ମୃତ୍ୟୁ ପରେ ଦାନ କରାଯାଇପାରେ । “ପୂର୍ବରୁ ରହିଥିବା ସଂଖ୍ୟା ସହିତ ପ୍ରତି ବର୍ଷ ଦଶ ହଜାର ନୂଆ କର୍ଣ୍ଣିଆ ଜନିତ ଦୃଷ୍ଟିହୀନତା ସମସ୍ୟା ଏଥିରେ ସାମିଲ୍ ହେଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ଣ୍ଣିଆ ପ୍ରତିରୋପଣର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଜନସାଧାରଣ ଚକ୍ଷୁ ଦାନ ସମ୍ପର୍କରେ ସଚେତନ ହେବା ଆବଶ୍ୟକ । ଚଳିତ ଜାତୀୟ ଚକ୍ଷୁ ଦାନ ପକ୍ଷରେ ଆମେ ଚକ୍ଷୁ ଦାନ କରିବାର ଗୁରୁତ୍ୱ ବିଷୟରେ ଜାଣିବା”, ବୋଲି ଡା. ଅଗ୍ରୱାଲ୍ସ ଆଇ ହସ୍ପିପିଟାଲ, ଓଡ଼ିଶାର କନ୍ସଲଟାଂଟ ଅପଥାଲ୍‌ମୋଲୋଜିଷ୍ଟ ଡାକ୍ତର ଏନ୍ ଭି ରଘୁନାଥ ରାଓ କହିଛନ୍ତି ।

କେଉଁ ମାନେ ଚକ୍ଷୁଦାନ କରିପାରିବେ?
ଜଣେ ଚକ୍ଷୁ ଦାତା ଯେକୌଣସି ଲିଙ୍ଗ ବା ବୟସର ହୋଇପାରନ୍ତି । ଅନ୍ୟପକ୍ଷରେ କିଛି କେସ୍ ରହିଛି ଯେଉଁ ରୋଗୀମାନେ ଚକ୍ଷୁ ଦାନ କରିପାରିବେ ନାହିଁ ଯଥା ଏଡ୍‌ସ, ହେପାଟାଇଟିସ୍ ବି ଓ ସି, ରାବିସ୍‌, ସେପ୍‌ଟିକାଏମିଆ, ଆକ୍ୟୁଟ୍ ଲ୍ୟୁକେମିଆ (ରକ୍ତ କର୍କଟ), ଟିଟାନସ୍‌, କଲେରା ଓ ସଂକ୍ରାମକ ରୋଗ ଯଥା ମେନିନ୍‌ଜାଇଟିସ୍ ଓ ଏନସିଫାଲିଟିସ୍ ।
ଡାକ୍ତର ଏନ୍ ଭି ରଘୁନାଥ ରାଓ ଚକ୍ଷୁ ଦାନ ସମ୍ପର୍କରେ ଜନସାଧାରଣଙ୍କ ସଚେତନତା ପାଇଁ କିଛି ବିଷୟ ଉଲ୍ଲେଖ କରିଛନ୍ତି :

  • ଚକ୍ଷୁକୁ କେବଳ ମୃତ୍ୟୁ ପରେ ଦାନ କରାଯାଇପାରିବ ।
  • ଚକ୍ଷୁକୁ ମୃତ୍ୟୁର ୪-୬ ଘଂଟା ମଧ୍ୟରେ ବାହାର କରାଯିବା ଆବଶ୍ୟକ ।
  • ଚକ୍ଷୁକୁ କେବଳ ଜଣେ ପଞ୍ଜୀକୃତ ଡାକ୍ତରଙ୍କ ଦ୍ୱାରା ସଂଗ୍ରହ କରାଯିବା ଉଚିତ୍ ।
  • ଚକ୍ଷୁ ବ୍ୟାଙ୍କ ଟିମ୍ ମୃତ ବ୍ୟକ୍ତିଙ୍କ ଘରକୁ ବା ହସପିଟାଲକୁ ଚକ୍ଷୁ ସଂଗ୍ରହ ପାଇଁ ଯିବେ ।
  • ଚକ୍ଷୁ ସଂଗ୍ରହ କରିବା ଦ୍ୱାରା ଅନ୍ତିମ ସଂସ୍କାର ବିଳମ୍ବିତ ହୁଏ ନାହିଁ କାରଣ ସମଗ୍ର ପ୍ରଣାଳୀ ପାଇଁ ମାତ୍ର ୨୦-୩୦ ମିନିଟ୍ ସମୟ ଲାଗିଥାଏ ।
  • ସଂକ୍ରାମକ ରୋଗକୁ ଏଡ଼ାଇବା ପାଇଁ ସାମାନ୍ୟ ପରିମାଣର ରକ୍ତ ଗ୍ରହଣ କରାଯିବ ।
  • ଚକ୍ଷୁ ସଂଗ୍ରହ ଦ୍ୱାରା ମୁଖରେ ଅସ୍ୱାଭାବିକତା ଦେଖା ଦିଏ ନାହିଁ ।
  • ଉଭୟ ଦାତା ଓ ଗ୍ରହୀତାଙ୍କ ପରିଚୟକୁ ଗୋପନୀୟ ରଖାଯାଇଥାଏ ।
  • ଚକ୍ଷୁ ଦାନ ଓ ଚକ୍ଷୁ ସଂଗ୍ରହ ପ୍ରଣାଳୀ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କର ପ୍ରାଧିକୃତ ପରିଜନ ଏହାକୁ ସ୍ୱୀକୃତ କରିବା ଆବଶ୍ୟକ ଯଦିବା ମୃତ ବ୍ୟକ୍ତି ପୂର୍ବରୁ ଚକ୍ଷୁ ଦାନ କରିବା ପାଇଁ ସଙ୍କଳ୍ପ କରିଥାନ୍ତି ।
  • ସମୀପ ଦୃଷ୍ଟି ଦୋଷ, ଦୀର୍ଘ ଦୃଷ୍ଟି ଦୋଷ ବା ଆଷ୍ଟିଗମାଟିଜିମ୍ ପାଇଁ ଚଷମାର ବ୍ୟବହାର ବା ଯେଉଁମାନଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି ତାହା ଚକ୍ଷୁ ସଂଗ୍ରହ କ୍ଷେତ୍ରରେ ଏକ ପ୍ରତିବନ୍ଧକ ନୁହେଁ ।

ଚକ୍ଷୁର ସଂଗ୍ରହ
ଚକ୍ଷୁକୁ ମୃତ୍ୟୁର ଛଅରୁ ଆଠ ଘଂଟା ମଧ୍ୟରେ ସଂଗ୍ରହ କରାଯିବା ଉଚିତ୍ । ଚକ୍ଷୁ ସଂଗ୍ରହ କରିବା ପରେ ଏହାକୁ ମୂଲ୍ୟାୟନ ଓ ପରବର୍ତି ଆବଂଟନ ପାଇଁ ଚକ୍ଷୁ ବ୍ୟାଙ୍କକୁ ପଠା ଯାଇଥାଏ । ଏହି ଚକ୍ଷୁକୁ ତାଲିମପ୍ରାପ୍ତ ଟେକ୍‌ନିସିଆନଙ୍କ ଦ୍ୱାରା ଆନ୍ତର୍ଜାତିକ ମାନକ ଅନୁସାରେ ମୂଲ୍ୟାୟନ କରାଯାଇଥାଏ । ଯୋଗ୍ୟ ଦୃଷ୍ଟିହୀନ ରୋଗୀଙ୍କୁ ସେମାନଙ୍କର ଅପେକ୍ଷା ତାଲିକା ହିସାବରେ ଡକା ଯାଇଥାଏ । ଏପରିକି ଜରୁରୀକାଳୀନ ମାମଲାକୁ ମଧ୍ୟ ନିର୍ଦ୍ଧାରିତ ଗାଇଡଲାଇନର ଅନୁପାଳନ କରି କରାଯାଇଥାଏ ।

ଚକ୍ଷୁ ଦାନର ଗୁରତ୍ୱ
ଚକ୍ଷୁ ଦାନର ଗୁରୁତ୍ୱ ସମ୍ପର୍କରେ ଡାକ୍ତର ଏନ୍ ଭି ରଘୁନାଥ ରାଓ କହିଛନ୍ତି ଯେ, “ଖୁବ୍ କମ୍ ବା ସଚେତନତାର ଅଭାବ, ସାମାଜିକ ବା ଧାର୍ମିକ ସଂରକ୍ଷଣ ଓ ଆହୁରି ଅନେକ କାରଣ ହେତୁ ଚକ୍ଷୁ ଦାନ ଏବେ ମଧ୍ୟ ଆମ ଦେଶରେ ଆବଶ୍ୟକୀୟ ଗୁରୁତ୍ୱ ଲାଭ କରିପାରି ନାହିଁ । ଏହି ମହତ୍ କାର୍ଯ୍ୟରେ ଅନେକ ଗୁଡ଼ିଏ ଭୁଲ୍ ବୁଝାମଣା ଓ ଭ୍ରାନ୍ତଧାରଣା ପ୍ରତିବନ୍ଧକ ଭାବରେ ରହିଛି ।

ସେ କହିଛନ୍ତି “ଆଜି ଭାରତରେ ବର୍ଷକୁ ମାତ୍ର ୫୦,୦୦୦ ଚକ୍ଷୁ ଦାନ କରାଯାଉଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଗୋଟିଏ ବର୍ଷରେ ମୃତ୍ୟୁବରଣ କରିଥିବା ୧ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୦.୫% ବ୍ୟକ୍ତିଙ୍କ ଠାରୁ ଚକ୍ଷୁ ସଂଗ୍ରହ କରାଯାଉଛି । ତେଣୁ ଚକ୍ଷୁ ଦାନ କରିବା ସମ୍ପର୍କରେ ସଚେତନତାର ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଏହା ସହିତ ଚକ୍ଷୁ ବ୍ୟାଙ୍କ ଓ ଗବେଷଣା କେନ୍ଦ୍ରର ବିକାଶ କରାଯିବାର ଆବଶ୍ୟକତା ରହିଛି ଯଦ୍ୱାରା ଅଧିକ ଚକ୍ଷୁ ସଂଗ୍ରହ କରାଯାଇପାରିବ ।” ଯେତେବେଳେ ଦାନ ହୋଇଥିବା ଚକ୍ଷୁକୁ ପ୍ରତିରୋପଣ ପାଇଁ ବ୍ୟବହାର କରାଯାଇପାରେ ନାହିଁ, ସେତେବେଳେ ତାହାକୁ ଗବେଷଣା ଓ ଶିକ୍ଷାଲାଭ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଚକ୍ଷୁର ଗବେଷଣା ସହିତ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ବିଭିନ୍ନ ଚକ୍ଷୁ ଅବସ୍ଥା ଯଥା ଗ୍ଲକୋମା, ରେଟିନାଜନିତ ରୋଗ, ଡାଇବେଟିସ୍ କ୍ଷେତ୍ରରେ ଚକ୍ଷୁର ଜଟିଳତା ଓ ଅନ୍ୟାନ୍ୟ ଚକ୍ଷୁ ସମସ୍ୟାର ସଫଳ ଚିକିତ୍ସା କରାଯାଇ ପାରୁଛି ।

Leave a Reply

Your email address will not be published. Required fields are marked *

Back to top button