ଉଦ୍ଧବଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରାଯାଇ ପାରିବନି : ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟ ଆଜି ଉଦ୍ଧବ ଠାକ୍‌ରେ ଓ ଏକନାଥ ସିନ୍ଦେ ବିବାଦର ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଉଦ୍ଧବ ଠାକ୍‌ରେ ଇସ୍ତଫା ଦେଇଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇ ପାରିବ ନାହିଁ। ରାଜ୍ୟପାଳ ଫ୍ଲୋର୍‌ ଟେଷ୍ଟ୍‌ ଡକାଇ ଆଇନଗତ ତ୍ରୁଟି କରିଛନ୍ତି।

ସୁପ୍ରିମ୍‌ କୋର୍ଟ କହିଛନ୍ତି ଉଦ୍ଧବ ଠାକ୍‌ରେ ତାଙ୍କ ଦଳର ବିଧାୟକମାନଙ୍କ ସମର୍ଥନ ହରାଇଛନ୍ତି ବୋଲି ଶିବସେନାର ଆଉ ଏକ ଗୋଷ୍ଠୀର ବିଧାୟକମାନଙ୍କ ପ୍ରସ୍ତାବନା ଉପରେ ଭରସା କରି ମହାରାଷ୍ଟ୍ରର ତତ୍‌କାଳୀନ ରାଜ୍ୟପାଳ ଭଗତ ସିଂହ କୋଶିୟାରି ତ୍ରୁଟି କରିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ଭାରତର ସମ୍ବିଧାନର ବିରୁଦ୍ଧାଚରଣ କରୁଛି। ଦଳର ଅଭ୍ୟନ୍ତରୀଣ ବିବାଦ ସମାଧାନ କରିବା ପାଇଁ ସଂଖ୍ୟାଗରିଷ୍ଠତା ବା ‘ଫ୍ଲୋର୍‌ ଟେଷ୍ଟ୍‌ ଉପଯୋଗ କରାଯାଇପାରିବ ନାହିଁ।

ସେହିପରି ଦେବେନ୍ଦ୍ର ଫଡ଼ନବୀସ ଓ ସ୍ଵାଧୀନ ବିଧାୟକମାନେ ଅନାସ୍ଥା ପ୍ରସ୍ତାବ ଆଗତ କରି ନଥିବାରୁ ରାଜ୍ୟପାଳ ନିଜର ନିର୍ଣ୍ଣୟ ପ୍ରୟୋଗ କରିବା ଆଇନସମ୍ମତ ନୁହେଁ। ତତ୍‌କାଳୀନ ରାଜ୍ୟପାଳଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ଗତବର୍ଷ ଜୁନ୍‌ ମାସରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ବିଦ୍ରୋହ କରିଥିବା ସିନ୍ଦେଙ୍କୁ କିମ୍ବା ଆଉ ୧୫ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସୁପ୍ରିମ୍‌ କୋର୍ଟ କହିଛନ୍ତି ଏ ମାମଲାରେ ବିଚାରପତିମାନଙ୍କର ବୃହତ୍ତର ଖଣ୍ଡପୀଠ ରାୟ ଶୁଣାଇବା ପର୍ଯ୍ୟନ୍ତ ବାଚସ୍ପତିଙ୍କ ହାତରେ ସମସ୍ତ କ୍ଷମତା ରହିବ। ପ୍ରକୃତ ‘ଶିବସେନା’ କିଏ ତାହା ବାଚସ୍ପତି ଓ ନିର୍ବାଚନ କମିସନ୍‌ ସ୍ଥିର କରିବେ। ଅଯୋଗ୍ୟତା ପ୍ରସଙ୍ଗରେ ବାଚସ୍ପତି ନିଷ୍ପତ୍ତି ନେବେ।

Leave a Reply

Your email address will not be published. Required fields are marked *

Back to top button