ସୌରଭ ଗାଙ୍ଗୁଲିଙ୍କୁ ଜରିମାନା

କୋଲକାତା : ଭୁଲ୍‌ ଜମି ଆବଣ୍ଟନ ମାମଲାରେ କୋଲକାତା ହାଇକୋର୍ଟ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ଏଥସହ ପଶ୍ଚିମବଙ୍ଗ ସରକାର ଓ ଗୃହ ନିଗମ ହିଡ୍‌କୋ ଉପରେ ୫୦ ହଜାର ଟଙ୍କା ଜରିମାନା ଲାଗିଛି।

ଖବର ଅନୁଯାୟୀ ସୌରଭ ଗାଙ୍ଗୁଲିଙ୍କୁ କ୍ରିକେଟ ଆକାଡେମୀ ଖୋଲିବା ପାଇଁ ପଶ୍ଚିମବଙ୍ଗ ସରକାରର ଆବାସ ନିଗମ ହିଡ୍‌କୋ ସଲ୍ଟଲେକର ସିଏ ବ୍ଲକରେ ଏକ ଜମି ଦେଇଥିଲା। ବିବାଦ ସୃଷ୍ଟି ହେବାରୁ ଜମିକୁ ସୌରବ ଗାଙ୍ଗୁଲି ଫେରାଇ ଦେଇଥିଲେ। ଜମିକୁ ନେଇ ଆଇନଗତ ସମସ୍ୟା ଦେଖାଦେଇଥିଲା। ବିନା ଟେଣ୍ଡରରେ ଜମି ଦିଆଯାଇଥିବା ଅଭିଯୋଗ ଉଠିଥିଲା। ‘ସଲ୍ଟଲେକ୍ ହ୍ୟୁମାନିଟି’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ରାଜ୍ୟ ସରକାରଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏହାର ଶୁଣାଣି କରି ଆଜି କୋଲକାତା ହାଇକୋର୍ଟ ଉଭୟ ସୌରଭ ଗାଙ୍ଗୁଲି ଓ ପଶ୍ଚିମବଙ୍ଗ ସରକାରଙ୍କ ଆବାସ ନିଗମ ଠାରୁ ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଦେଶ ସବୁବେଳେ ଖେଳାଳିଙ୍କ ପାଇଁ ଛିଡା ହୋଇଛି। ଏହା ସତ୍ୟ ଯେ ସୌରଭ ଗାଙ୍ଗୁଲି କ୍ରିକେଟରେ ଦେଶ ପାଇଁ ଗୌରବ ଆଣିଛନ୍ତି କିନ୍ତୁ ଯେତେବେଳେ ଆଇନ ଓ ନିୟମ କଥା ଆସେ ସେତେବେଳେ ସମ୍ବିଧାନରେ ସବୁକିଛି ସମାନ। କେହି ଆଇନ୍‌ ଉପରେ ନୁହନ୍ତି।

ସୂଚନାଯୋଗ୍ୟ ସୌରଭ ଗାଙ୍ଗୁଲିଙ୍କ ଶିକ୍ଷାନୁଷ୍ଠାନକୁ ୨୦୧୧ ମସିହାରେ କୋଲକାତାର ନ୍ୟୁ ଟାଉନ୍ ଅଞ୍ଚଳରେ ପଶ୍ଚିମବଙ୍ଗ ସରକାର ଜମି ପ୍ରଦାନ କରିଥିଲେ। ଏହି ବିଦ୍ୟାଳୟ ପାଇଁ ବିସିସିଆଇ ସଭାପତି ତଥା ଗାଙ୍ଗୁଲି ଶିକ୍ଷା ଓ କଲ୍ୟାଣ ସମିତିକୁ ଦିଆଯାଇଥିବା ୨.୫ ଏକର ଜମି ଉପରେ ଏକ ଆବେଦନରେ ପ୍ରଶ୍ନ ଉଠାଯାଇଛି। ୨୦୧୬ରେ ଏହି ଜମି ଆବଣ୍ଟନକୁ ଚ୍ୟାଲେଞ୍ଜ କରି ଏକ ପିଏଲ୍ ଦାଖଲ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button