ପରିବାରର ତିନି ଜଣଙ୍କ ଆତ୍ମହତ୍ୟା ଉଦ୍ୟମ : ଭାଇଭଉଣୀଙ୍କ ମୃତ୍ୟୁ, ମା’ ଗୁରୁତର

ବରଗଡ଼ : ସୋହେଲାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଗୋଟିଏ ପରିବାରର ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବଂଶୀଧର ସାହୁ ଓ ଭଉଣୀ ସୁବର୍ଣ୍ଣ ମହାଜନ। ବଂଶୀଧର ଓ ସୁବର୍ଣ୍ଣଙ୍କ ମା’ କୁମୁଦିନିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ଖବର ଅନୁଯାୟୀ ସୋହେଲାର ମାଷ୍ଟରପଡ଼ାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ପତ୍ନୀ କୁମୁଦିନି ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଆଜି ଘରେ ବିଷ ପିଇ ଦେଇଥିଲେ। ଘରର କବାଟ ଭିତର ପଟୁ ବନ୍ଦ ଥିବାରୁ ପଡ଼ୋଶୀ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ବଂଶୀଧର ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପରେ ସୁବର୍ଣ୍ଣଙ୍କୁ ବୁର୍ଲା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ ଦୀର୍ଘଦିନ ରୋଗଗ୍ରସ୍ତ ରହିବା ପରେ ଗତ ୬ ତାରିଖରେ ଅର୍ଜୁନ ସାହୁଙ୍କର ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପୂରା ପରିବାର ଭାଙ୍ଗି ପଡ଼ିଥିଲା। ସେମାନେ ଏହି ଘଟଣାରେ ମାନସିକ ଚାପର ବଶବର୍ତ୍ତୀ ହୋଇ କୀଟନାଶକ ପିଇ ଦେଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button