ବାତ୍ୟା ‘ଗୁଲାବ’ ପାଇଁ ଓଡ଼ିଶା-ଆନ୍ଧ୍ରପ୍ରଦେଶ ଅଧିକାରୀଙ୍କ ମିଳିତ ବୈଠକ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟା ‘ଗୁଲାବ’ରେ ପରିଣତ ହୋଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଆଡ଼କୁ ମୁହାଁଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି ଅପରାହ୍ନ ସାଢେ ୫ଟା ସୁଦ୍ଧା ଗୋପାଳପୁରରୁ ୩୭୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ ଠାରୁ ୪୪୦ କିଲୋମିଟର ଦୂରରେ ରହିଛି। ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଏ ଦୁଇଟି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବ।

ଶନିବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ବୈଠକ ଡକାଇଥିଲେ। ଏଥିରେ କେନ୍ଦ୍ରୀୟ ମନ୍ତ୍ରାଳୟ ଓ ଓଡ଼ିିଶା-ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀମାନଙ୍କ ସହିତ ପ୍ରସ୍ତୁତିର ସମୀକ୍ଷା କରିବା ସହ ବାତ୍ୟା ଯୋଗୁ ସୃଷ୍ଟି ହେବାକୁ ପରିସ୍ଥିତିର ଆକଳନ କରିଛନ୍ତି। ଏହି ବୈଠକରେ ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

କେନ୍ଦ୍ର କ୍ୟାବିନେଟ କହିଥିଲେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍‌ଡିଆରଏଫ୍‌)ର ୧୮ଟି ଟିମ୍‌କୁ ନିୟୋଜିତ କରାଯାଇ ସାରିଲାଣି ଓ ଅତିରିକ୍ତ ଦଳକୁ ଷ୍ଟାଣ୍ଡବାଇରେ ରଖାଯାଇଛି। ଓଡିଶାରେ ଏନଡିଆରଏଫ୍‌ ଟିମ୍‌ ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼, ମାଲକାନଗିରି ଏବଂ ଆନ୍ଧ୍ରପ୍ରଦେଶରେ ବିଶାଖାପାଟନମ୍‌, ଶ୍ରୀକାକୁଲମ୍‌, ୟାନାମ ଓ ବିଜୟନଗରମ୍‌ରେ ନିୟୋଜିତ ହୋଇଛନ୍ତି। ଏହାଛଡା ଜାହାଜ, ବିମାନ ସହିତ ଭାରତୀୟ ସେନା ଓ ଭାରତୀୟ ନୌସେନାର ଉଦ୍ଧାରକାରୀ, ରିଲିଫ ଦଳ ନିୟୋଜିତ ହୋଇ ସାରଲେଣି। ବାତ୍ୟାର ଗତିବିଧି ସଂପର୍କରେ ନିୟମିତ ବ୍ୟବଧାନରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଭାରତୀୟ ପାଣିପାଗ ବିଭାଗକୁ ସେ ନିର୍ଦ୍ଦେଶ ଦେବା ସହ ମୃତାହତଙ୍କ ସଂଖ୍ୟା ‘ଶୂନ୍ୟ’ ରଖିବା ପାଇଁ ଲକ୍ଷ୍ୟ ରଖି ପ୍ରସ୍ତୁତି କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button