ବଦଳିଲେ ଢେଙ୍କାନାଳ ଜିଲ୍ଲାପାଳ

ଭୁବନେଶ୍ଵର : ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କର ଆଜି ଅଚାନକ ବଦଳି ହୋଇଛି। ତାଙ୍କ ସ୍ଥାନରେ ବରିଷ୍ଠ ଓଏଏସ୍ ଅଫିସର ମନୋରଞ୍ଜନ ମଲ୍ଲିକଙ୍କୁ ମିଳିଛି ନିଯୁକ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବୁଧବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଇଡକୋ ମୁଖ୍ୟ ଜେନେରାଲ ମ୍ୟାନେଜର (ଜମି) ଭାବେ କାର୍ଯ୍ୟରତ ମନୋରଞ୍ଜନ ମଲ୍ଲିକ ଢେଙ୍କାନାଳ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବେ। ତେବେ ଶ୍ରୀ ସେଠୀଙ୍କୁ କୌଣସି ନୂଆ ନିଯୁକ୍ତି ମିଳିନାହିଁ। ୨୦୨୧ ଅଗଷ୍ଟ ୧୬ତାରିଖରେ ସେ ଢେଙ୍କାନାଳ ଜିଲ୍ଳାପାଳ ଭାବେ ଯୋଗ ଦେଇଥିଲେ। ସେହିପରି ସାଧାରଣ ପ୍ରଶାସନ ବିଭାଗ ଅନ୍ୟ ଏକ ନିର୍ଦ୍ଦେଶାନାମାରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଉପଜିଲ୍ଲାପାଳ ପଦବୀରେ ଥିବା ଯେଉଁ ଅଫିସରମାନଙ୍କର ବଦଳି ହୋଇଛି ସେମାନେ ୨୪ଘଣ୍ଟା ମଧ୍ୟରେ ନୂଆ ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ବିଭାଗ ପକ୍ଷରୁ ସେଣ୍ଟ୍ରାଲି ରିଲିଭ୍ କରାଯାଇଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବଦଳି ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି।

ସୂଚନାଯୋଗ୍ୟ ରାଜ୍ୟ ସରକାର ଆଉ ୫୩ ଜଣ ଓଏଏସ୍ ଅଫିସରଙ୍କର ବଦଳି କରିଛନ୍ତି। ଗତ ୭ଦିନ ମଧ୍ୟରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ମୋଟ ୨୫୦ଜଣ ଓଏଏସ୍ ଅପିସରଙ୍କ ବଦଳି ହୋଇଥିବା ବେଳେ ୫୩ ଜଣଙ୍କୁ ମିଶାଇଲେ ସଂଖ୍ୟା ୩୦୦ ଅତିକ୍ରମ କରିଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁସାରେ, ୫୩ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର, ଡେପୁଟି କଲେକ୍ଟର, ବିଡିଓ ଭାବେ ନିଯୁକ୍ତି ମିଳିଛି ।

Leave a Reply

Your email address will not be published. Required fields are marked *

Back to top button