କେଏଲ ଡିମ୍ଡ ଟୁ ବି ୟୁନିଭରସିଟିକୁ କ୍ଲିନ୍ ଆଣ୍ଡ ସ୍ମାର୍ଟ କ୍ୟାମ୍ପସ ପୁରସ୍କାର

ଭଦ୍ଦେଶ୍ୱରମ (ବିଜୟୱାଡା)/ ହାଇଦ୍ରାବାଦ : ସ୍ନାତକ ଏବଂ ଉଚ୍ଚଶିକ୍ଷା ନିମନ୍ତେ ଦେଶରେ ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କେଏଲ ଡିମ୍ଡ ଟୁ ବି ୟୁନିଭରସିଟିକୁ ଏଆଇସିଟିଇ (ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ) ଦ୍ୱାରା ସମ୍ମାନଜନକ କ୍ଲିନ ଆଣ୍ଡ ସ୍ମାର୍ଟ କ୍ୟାମ୍ପସ ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି । ଭାରତୀୟ ଜ୍ଞାନ ବ୍ୟବସ୍ଥା ଉପଯୋଗ କରୁଥିବା ବିଶ୍ୱବିଦ୍ୟାଳଗୁଡିକର ବର୍ଗ ଅଧୀନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପରିସରକୁ ପରିଷ୍କାର ପରିଚ୍ଛନ୍ନ ଓ ସ୍ମାର୍ଟ ରଖିବା ଦିଗରେ ଭାରତୀୟ ଜ୍ଞାନ ବ୍ୟବସ୍ଥାର ଉପଯୋଗିତା ପାଇଁ ୟୁନିଭରସିଟିକୁ ଦ୍ୱିତୀୟ ପୁରସ୍କାର ମିଳିଛି । ବୈଷୟିକ ଶିକ୍ଷାର ସାମଗ୍ରିକ ବିକାଶ ଦିଗରେ ଅବଦାନ ରଖିଥିବା ଶିକ୍ଷାପ୍ରତିଷ୍ଠାନ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସମ୍ମାନିତ କରିବା ପାଇଁ ପୁରସ୍କାର ପ୍ରଦାନ ସମାରୋହର ତୃତୀୟ ସଂସ୍କରଣ ଏଆଇସିଟିଇ ଦ୍ୱାରା ନୂଆଦିଲ୍ଲୀ ସ୍ଥିତ ତାହାର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କେଏଲ ଡିମ୍ଡ ଟୁ ବି ୟୁନିଭରସିଟିର ଡାଇରେକ୍ଟର ଡଃ. ଗାରିମେଲ୍ଲା ଗୋପାଳକ୍ରିଷ୍ଣରାଓଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଡଃ ଗାରିମେଲ୍ଲା ଗୋପାଳକ୍ରିଷ୍ଣରାଓ ୟୁନିଭରସିଟି ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ବିଶ୍ୱବିଦ୍ୟାଳୟଗୁଡିକୁ ସେମାନଙ୍କର ବର୍ଜ୍ୟ ପରିମାଣ ସର୍ବନିମ୍ନସ୍ତରରେ ରଖିବା, ସମ୍ବଳର ସଂରକ୍ଷଣ ଏବଂ ନିରନ୍ତରତା ହାସଲ ନିମନ୍ତେ ଆଇଓଟି, କ୍ଲାଉଡ ଓ ବିଗ୍ ଡାଟା ଭଳି ସର୍ବାଧୁନିକ ପ୍ରଯୁକ୍ତି ବ୍ୟବହାର ଆଦି ଆଧାରରେ ମୂଲ୍ୟାୟନ କରାଯାଇଥିଲା । କେଏଲ ଡିମ୍ଡ ଟୁ ବି ୟୁନିଭରସିଟିକୁ ତାହାର ଦୀର୍ଘସ୍ଥାୟୀ ଅଭିବୃଦ୍ଧି ସହିତ ସଂଯୁକ୍ତ ବିବିଧ ପ୍ରୟାସ ନିମନ୍ତେ ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ୟୁନିଭରସିଟିକୁ ଏହାର ଦୀର୍ଘସ୍ଥାୟୀ, ପାରମ୍ପରିକ ବ୍ୟବସ୍ଥିତ ବର୍ଜ୍ୟ ପରିଚାଳନା, ସମ୍ବଳ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ପାଇଁ କ୍ୟାମ୍ପସକୁ ନିୟୋଜିତ ରଖିବା ଦିଗରେ ପ୍ରଯୁକ୍ତିର ବ୍ୟବହାର ଆଦି ନିମନ୍ତେ ପ୍ରଶଂସା କରାଯାଇଥିଲା । ଏହାକୁ ବ୍ୟାଟେରୀଚାଳିତ ଯାନ, ସଡକ ଓଳାଇବା ମେସିନ, ସେନ୍ସର ଭିତ୍ତିକ ପାର୍କିଂ, ସେନ୍ସର ଭିତ୍ତିକ ଆଲୋକିକରଣ, ସେନ୍ସର ଭିତ୍ତିକ ଫ୍ଲଶ୍ ବ୍ୟବସ୍ଥା, ସୌର ଓ ପବନ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ ଭଳି ବହୁବିଧା ପରିବେଶ ଉପଯୋଗୀ ପ୍ରୟାସକୁ ପ୍ରୋତ୍ସାହିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ ପାଇଁ ୟୁନିଭରସିଟି ସ୍ୱୀକୃତି ଲାଭ କରିଛି ।
କେଏଲ୍ ଡିମ୍ଡ ଟୁ ବି ୟୁନିଭରସିଟିର ପ୍ରେସିଡେଣ୍ଟ ଇଂ. କୋନେରୁ ସତ୍ୟନାରାୟଣା କହିଛନ୍ତି, “ଜଳବାୟୁ ସଙ୍କଟ ବିଶ୍ୱସ୍ତରରେ ଏକ ଅଗ୍ରାଧିକାର ପ୍ରସଙ୍ଗ ହୋଇଛି ଏବଂ ଆମେ ଏକ ଶିକ୍ଷାନୁଷ୍ଠାନ ଭାବରେ ଏହି ସମସ୍ୟାର ସମାଧାନ ଦିଗରେ ଏକ ଅଗ୍ରଣୀ ଭୂମିକା ନେବା ଉଚିତ । କ୍ୟାମ୍ପସ ମଧ୍ୟରେ ଏବଂ ଗୋଷ୍ଠୀ ପରିବେଶ ଚତୁପାଶ୍ୱର୍ରେ ପରିବେଶର ସଂରକ୍ଷଣ ଏବଂ ଦୀର୍ଘସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା ଦିଗରେ କେଏଲ ଡିମ୍ଡ ଟୁ ବି ୟୁନିଭରସିଟି ବହୁବିଧ ପଦକ୍ଷେପ ଗ୍ରହଣ କରିଛି । ଏଆଇସିଟିଇ କ୍ଲିନ ଆଣ୍ଡ ସ୍ମାର୍ଟ କ୍ୟାମ୍ପସ ପୁରସ୍କାର, ଶିକ୍ଷା କ୍ଷେତ୍ରରେ ଦୀର୍ଘସ୍ଥାୟୀ ବିଷୟକୁ ଅନ୍ତର୍ନିହିତ କରିବା ସକାଶେ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା କଠିନ ପରିଶ୍ରମକୁ ପ୍ରତିଫଳିତ କରୁଛି । ଏହି ପୁରସ୍କାର ବିଶ୍ୱସ୍ତରୀୟ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଦିଗରେ ଆମ ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି । କ୍ଲିନ ଆଣ୍ଡ ସ୍ମାର୍ଟ କ୍ୟାମ୍ପସ ପୁରସ୍କାର ୨୦୨୦ ନିମନ୍ତେ ୨ହଜାରରୁ ଅଧିକ ୟୁନିଭରସିଟି ନିଜ ନାମ ପଞ୍ଜିକୃତ କରିଥିବାବେଳେ ନିଜର କ୍ୟାମ୍ପସକୁ ସବୁଜ, ପରିଷ୍କାର ଏବଂ ସ୍ମାର୍ଟ ରଖିବା ଦିଗରେ ଉଦାହରଣ ହେବାଭଳି କାର୍ଯ୍ୟ କରିଥିବା ଖୁବ କମ ସଂଖ୍ୟକ ଶିକ୍ଷାନୁଷ୍ଠାନ ମଧ୍ୟରେ କେଏଲ୍ ଡିମ୍ଡ ଟୁ ବି ୟୁନିଭରସିଟି ସ୍ଥାନପାଇଛି ।