ବିଜେଡି ସରକାର ବିଦା ହେବା ଆବଶ୍ୟକ : ମନମୋହନ

ନବରଙ୍ଗପୁର : ବିଜେଡି ସରକାରର ୨୩ ବର୍ଷର ଶାସନ ପରେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ସାମଗ୍ରିକ ବିକାଶ ସମ୍ଭବ ହୋଇନାହିଁ। ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଓ ଗମନାଗମନ ଭଳି ମୈାଳିକ ସୁବିଧାର ସୁଧାର ଆସିନଥିବା ବେଳେ ବେରୋଜଗାରୀ ଓ ଅପପୃଷ୍ଟି କାୟା ବିସ୍ତାର କରିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ଅଭିଯୋଗ କରିଥିବା ବେଳେ ବିଜେଡି ସରକାର ବିଦା ହେବା ଆବଶ୍ୟକ ବୋଲି କହିଛନ୍ତି।

ଖବର ଅନୁଯାୟୀ ନବରଙ୍ଗପୁରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଏହି ଜିଲ୍ଲାରେ ମେଡିକାଲ କଲେଜ ଓ ଡିଗ୍ରି ଇଞ୍ଜିନିୟରିଂ କଲେଜ ନାହିଁ। ହେଡ୍‌କ୍ୱାର୍ଟରେ ଯେଉଁ କଲେଜ ଅଛି ତାହାକୁ ସରକାରୀ କଲେଜର ମାନ୍ୟତା ଦିଆଯାଇନଥିବା ବେଳେ ପୋଷ୍ଟଗ୍ରାଜୁଏଟ କଲେଜ ନାହିଁ। ଇନ୍ଦ୍ରାବତୀ ଡ୍ୟାମରୁ ନବରଙ୍ଗପୁରକୁ ଜଳସେଚନ କରାଗଲା ନାହିଁ। ତେଲନଦୀରେ ଯଥାଶୀଘ୍ର ଡ୍ୟାମ ନିର୍ମାଣ କରନ୍ତୁ ରାଜ୍ୟ ସରକାର । ୬୦ହଜାର ହେକ୍ଟର ମକାଚାଷ ହେଉଛି କିନ୍ତୁ ସରକାର କିଣୁନାହାନ୍ତି। ମଣ୍ଡି ଖୋଲୁନଥିବାରୁ ଧାନର ଅଭାବିବିକ୍ରି ହେଉଛି। ଏଠାରେ ଶୀତଳଭଣ୍ଡାର ନାହିଁ, କେନ୍ଦ୍ର ସରକାର ନବରଙ୍ଗପୁରରେ ଇଥାନଲ୍ ପ୍ଲାଂଟ ପାଇଁ ୫୦୦କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର ଜମି ନଦେବା କାରଣରୁ ତାହା ଅନୁମୋଦନ ହୋଇ ପଡିରହିଛି। ନବରଙ୍ଗପୁର ଯୁବକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଯୋଗାନ୍ତୁ। ନବରଙ୍ଗପୁରରେ ବିଇଡି କଲେଜ ଆରମ୍ଭ କରନ୍ତୁ। ରାଜ୍ୟ ସରକାର ନିରୀହ ଆଦିବାସୀଙ୍କ ପ୍ରତି ଅତ୍ୟାଚାର କରନ୍ତୁ ନାହିଁ ବୋଲି ଶ୍ରୀ ସାମଲ ଦାବି କରିଛନ୍ତି।

ସେ କହିଲେ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ନରେନ୍ଦ୍ର ମୋଦି ଭାରତମାଲା ଯୋଜନାରେ ନବରଙ୍ଗପୁରରୁ ରାୟପୁର ଓ ଭାଇଜାଗ୍ ସହ ରାସ୍ତାକୁ ଯୋଡିଛନ୍ତି। ୧୫ହଜାର କୋଟି ଟଙ୍କାର ରାସ୍ତା ନିର୍ମାଣକାର୍ଯ୍ୟ ଚାଲିଛି। ନବରଙ୍ଗପୁରରେ ୬ହଜାର କୋଟି ଟଙ୍କାର ରେଳଲାଇନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଆଦିବାସୀବହୁଳ ନବରଙ୍ଗପୁର ଜିଲ୍ଲାରେ ୧୦ଟି ଏକଲବ୍ୟ ସ୍କୁଲ ଖୋଲିଛନ୍ତି । ନବରଙ୍ଗପୁରର ବିକାଶ ପାଇଁ ମୋଦି ସରକାରଙ୍କ ଆନ୍ତରିକତାକୁ ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ସରୋଜ କର, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ଜିଲ୍ଲା ସଭାପତି ଜଗଦିଶ ବିଶୋୟୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button