କୁଶାସନକୁ ନେଇ ଓଡ଼ିଶାବାସୀଙ୍କ ମନରେ “ଜନଆକ୍ରୋଶ” ସୃଷ୍ଟି ହୋଇଛି : ମନମୋହନ

ଭୁବନେଶ୍ୱର : ଦୀର୍ଘ୨୩ ବର୍ଷର ବିଜେଡି ଶାସନରେ ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାର ଚରମ ସୀମା ଅତିକ୍ରମ କରିସାରିଛି। ଯାହା ‘ବ୍ଲକ ଘେରାଓ’ କାର୍ଯ୍ୟକ୍ରମରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଓଡ଼ିଶାବାସୀଙ୍କ ମନରେ ସୃଷ୍ଟି ହୋଇଛି “ଜନଆକ୍ରୋଶ”। ଶାସକ ଦଳର ବିଧାୟକ ସୁଶାନ୍ତ ସିଂହଙ୍କ ଇଙ୍ଗିତରେ ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପଦାରେ ପକାଇଛି। ବିଜେଡି ଶାସନରେ ମହିଳା ଅସୁରକ୍ଷିତ । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଥିବାବେଳେ ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି। କେନ୍ଦ୍ର ଦେଇଥିବା ଟଙ୍କାକୁ ରାଜ୍ୟ ସରକାର କ’ଣ ଖର୍ଚ୍ଚ କଲେ ତାହାର ଉତ୍ତର ରାଜ୍ୟ ସରକାର ତୁରନ୍ତୁ ଦିଅନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ରାଜ୍ୟ ସରକାରଙ୍କ ଆବେଦନଠାରୁ ଅଧିକ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ପକ୍କା ଘର ଯୋଗାଇ ଦେବା ସତ୍ୱେ ଆଜି ବି ଲକ୍ଷ ଲକ୍ଷ ପରିବାର ମୁଣ୍ଡ ଉପରେ ଛାତ ନାହିଁ । ଓଡିଶାରେ ଏପ୍ରିଲ ୨୦୨୩ ରୁ ଜୁନ ୨୦୨୩, ୩ ମାସ ଭିତରେ ୨ ଲକ୍ଷ ୫୯ ହଜାର ପକ୍କାଘର ନିର୍ମାଣ କାମ ସରିବା କଥା । ଏହି ସମୟରେ ୨ଲକ୍ଷ ୫୯ହଜାର ଗରିବ ଲୋକମାନେ ସେମାନଙ୍କ ପକ୍କା ଘରକୁ ପ୍ରବେଶ କରିବା କଥା । କିନ୍ତୁ ରାଜ୍ୟ ସରକାରଙ୍କର ଅପାରଗତା, ଚକ୍ରାନ୍ତ ଓ ଗରିବ ବିରୋଧୀ ନୀତି କାରଣରୁ ବର୍ତମାନ ସୁଦ୍ଧା ମାତ୍ର ୩ ହଜାର ପକ୍କାଘର ନିର୍ମାଣ କାର୍ଯ୍ୟ ସରିଛି । ଏହା ହେଉଛି ନିର୍ଦ୍ଧାରିତ ହୋଇଥିବା ଟାର୍ଗେଟର ମାତ୍ର ୧% । ଓଡ଼ିଶାର ଗରୀବ ଲୋକମାନେ କିଭଳି କେନ୍ଦ୍ର ସରକାର ଦେଉଥିବା ପକ୍କାଘର ନପାଇବେ ସେଥିପାଇଁ ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର । ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଳିତ ଆର୍ଥୀକ ବର୍ଷରେ ୧୦ ଲକ୍ଷ ୩୭ ହଜାର ପକ୍କାଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଛନ୍ତି। କିନ୍ତୁ ଏହି ଲକ୍ଷ୍ୟ ପୂରଣ କରିବାରେ ରାଜ୍ୟ ସରକାର ବିଫଳ ବୋଲି ଆଜି ଗଞ୍ଜାମ “ବ୍ଲକ ଘେରାଓ” କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସାମଲ କହିଛନ୍ତି ।

ଏହି ଘେରାଓ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ସଭାପତି ଡ. ସୁବାଷ ସାହୁ, ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୃଗୁ ବକ୍ସିପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button