ସାହୁ ବଦର୍ସ ଆଣ୍ଡ କୋ ସହ ବିଜେଡିର ସଂପର୍କ କ’ଣ ସରକାର ସ୍ପଷ୍ଟ କରନ୍ତୁ : ବିଜେପି

ଭୁବନେଶ୍ୱର : ଅଣଓଡିଆ ବ୍ୟବସାୟୀମାନେ ଓଡ଼ିଶାର ଖଣି, ଚିଟଫଣ୍ଡକୁ ଲୁଟ୍ କରିଥିଲେ। ଏବେ ଅଣଓଡିଆ ମଦବେପାରୀ ଓଡିଶାକୁ ଲୁଟ୍ କରୁଛନ୍ତି। ଗତ ୩ ଦିନ ହେଲାଣି ଜଣେ ଅଣଓଡିଆ ମଦ ବେପାରୀଙ୍କଠାରୁ ୫୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ୍ ହୋଇଥିଲେ ହେଁ ଆଜି ମଧ୍ୟ ଜାରୀ ରହିଛି। ଜାତୀୟ ଗଣମାଧ୍ୟମକୁ ଚର୍ଚ୍ଚାର ଖୋରାକ ଯୋଗାଇଥିବା ଏ ଜବତ୍ ଟଙ୍କା କାହାର ? ଏତେ ଟଙ୍କା କେଉଁଠୁ ଆସିଲା ଓ କିପରି ଗୋଟିଏ ଜାଗାରେ ଠୁଳ ହେଲା ? ବାର୍ଷିକ ୧୨୦ କୋଟି ଟଙ୍କାର କାରବାର କରୁଥିବା ସାହୁ ବଦର୍ସ ଆଣ୍ଡ କୋଙ୍କ ନିକଟକୁ ନଗଦ ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଲା କେଉଁଠୁ ? ଜବତ ହୋଇଥିବା ଏହି ଟଙ୍କା ସାହୁ ବଦର୍ସ ଆଣ୍ଡ କୋର ନିଜସ୍ୱ ନା ଆଉ କାହାର କଳା ଟଙ୍କା ଏଥିରେ ସାମିଲ ଅଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର।

ଖବର ଅନୁଯାୟୀ ଶୁକ୍ରବାର ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ବିଜେଡ଼ି ଅଜସ୍ର ଅର୍ଥ ଖର୍ଚ୍ଚ କରିବା ସହିତ ମଦର ବନ୍ୟା ସୃଷ୍ଟି କରେ। ଗତ ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ତରବରିଆ ଭାବେ ସପ୍ଲିମେଂଟାରୀ ବଜେଟ୍ ଆଗତ କରିବା ସହ ତଥାକଥିତ ସିଏମ୍‌ଓ ସମସ୍ତ ଜିଲ୍ଲା ଭ୍ରମଣ କରି ବୈଠକ କରୁଥିଲେ। ଓଡ଼ିଶାରେ କମ୍ ଦିନ ଭିତରେ ବିଧାନସଭାକୁ ଭଙ୍ଗ କରି ଆଗୁଆ ବିଧାନସଭା ନିର୍ବାଚନ କରିବା ପାଇଁ ଶାସକ ଦଳ ଖସଡା ପ୍ରସ୍ତୁତ କରିଥିଲା। ଜବତ ଟଙ୍କା ମଧ୍ୟରେ ୫୦୦ଟଙ୍କା, ୨୦୦ଟଙ୍କା ଓ ୧୦୦ଟଙ୍କା ବାହାରୁଛି। ଯାହା ନିର୍ବାଚନ ସମୟରେ ବଂଟା ହେବା ପାଇଁ ରଖାଯାଇଥିଲା କି ? ପ୍ରାପ୍ତ ସୁଚନା ଅନୁଯାୟୀ ସାହୁ ବଦର୍ସ ଆଣ୍ଡ କୋ ସହ ବୌଦ୍ଧ, ସୋନପୁର, ଟିଟିଲାଗଡ, ରାୟଗଡାରୁ ଯେଉଁମାନେ ମନ୍ତ୍ରୀ ଅଛନ୍ତି ଓ ବରଗଡର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି। ସେହିପରି ମଦ ବ୍ୟବସାୟୀଙ୍କ ସହ ମନ୍ତ୍ରୀ ତଥା ଟିଟଲାଗଡ ବିଧାୟକ ଟୁକୁନି ସାହୁଙ୍କ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି। ବୌଦ୍ଧ ରାଇସ ମିଲ୍ ସହ ସାହୁ ବଦର୍ସ ଆଣ୍ଡ କୋର ସମ୍ପର୍କ କ’ଣ ରହିଛି ? ଏପରିକି ଶାସକ ବିଜେଡିର ବହୁ ନେତା ଓ ମନ୍ତ୍ରୀଙ୍କ ସହ ମଧ୍ୟ ସଂପର୍କ ରହିଛି। ଆଗୁଆ ନିର୍ବାଚନ ପରିଚାଳନା ପାଇଁ ସାହୁ ବଦର୍ସ ଆଣ୍ଡ କୋ ପାଖରେ ବିଜୁ ଜନତା ଦଳ ଟଙ୍କା ରଖିଥିଲା କି ? ସାହୁ ବଦର୍ସ ଆଣ୍ଡ କୋ ସହ ବିଜେଡିର କଣ ସଂପର୍କ ରହିଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button