ଆୟକର ଚଢ଼ଉରେ କୋଟିକୋଟି ଟଙ୍କା ଜବତ : ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ

ଭୁବନେଶ୍ଵର : ଆୟକର ବିଭାଗ ଚଢ଼ଉରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋଟିକୋଟି ଟଙ୍କା ଜବତ ଘଟଣାରେ ବିଜେପି ସଭାପତି ମନମୋହନ ସାମଲ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବାବଦରେ ଆଦୌ ମୁହଁ ଖୋଲୁନାହାନ୍ତି। ଯଦି ସାହାସ ଅଛି ତେବେ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ।

ଖବର ଅନୁଯାୟୀ ଶନିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଆୟକର ଚଢ଼ଉ ବେଳେ ଅଧିକାରୀମାନଙ୍କୁ ଗଦାଗଦା ଟଙ୍କା ମିଳିବା ଓଡ଼ିଶା ପାଇଁ ଲଜ୍ଜାକର ଓ ଦୁର୍ଭାଗ୍ୟଜନକ ଘଟଣା। ସାରା ଦେଶରେ ଥରକେ ଏତେ କଳା ଟଙ୍କା ଜବତ ପ୍ରଥମ ଘଟଣା। ଆୟକର ଚଢ଼ଉରେ କୋଟିକୋଟି ଟଙ୍କା ଜବତ ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ାଗଣ୍ଡା କରି ଆଦାୟ ହେବ ବୋଲି କହିସାରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବାବଦରେ ଆଦୌ ମୁହଁ ଖୋଲୁନାହାନ୍ତି।

ସୂଚନାଯୋଗ୍ୟ ଆୟକର ବିଭାଗର ଅଧିକାରୀମାନେ ବିଗତ ତିନିଦିନ ହେଲା ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ ସମେତ ଅନ୍ୟସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଚଢଉ ସମୟରେ ଜବତ କୋଟି କୋଟି ଟଙ୍କା ମେସିନ ସହାୟତାରେ ଟଙ୍କା ଗଣା ହେଉଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓ ସୁନ୍ଦରଗଡ଼ର ଏସ୍‌ବିଆଇ ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ ହୋଇଛି। ଟିଟିଲାଗଡ଼ ଏସ୍‌ବିଆଇ ଗଣତିରୁ ୧୧ କୋଟି ଟଙ୍କାର ୫ଶହ, ୨ଶହ ଓ ଶହେ ଟଙ୍କିଆ ନୋଟ୍ ମିଳିଛି। ଆସନ୍ତାକାଲି ସୁଦ୍ଧା ଟଙ୍କା ଗଣତି ଶେଷ ହେବା ନେଇ ଆଶା ରହିଛି। ଏବେ ସମ୍ବଲପୁର ଓ ବଲାଙ୍ଗୀରରେ ଟଙ୍କା ଗଣତି ଚାଲିଛି। ସମ୍ବଲପୁର ଏସ୍‌ବିଆଇ ଉପମହାପ୍ରବନ୍ଧକ ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button