ଯଜ୍ଞପରେ ବିଧାୟକ ଲଣ୍ଡାହୋଇ ବିଜେପି ଛାଡ଼ିଲେ

ଅଗରତାଲା : ଉତ୍ତର ତ୍ରିପୁରା ଅନ୍ତର୍ଗତ ସୁରମାରୁ ବିଧାୟକ ହୋଇଥିବା ଆଶିଷ ଦାସ ବିଜେପି ଛାଡ଼ିବାକୁ ଘୋଷଣା କରିଛନ୍ତି। ସେ ଏହି ଘୋଷଣା ପୂର୍ବରୁ କୋଲକାତାର କାଳୀଘାଟ ମନ୍ଦିରରେ ଯଜ୍ଞ କରିବା ପରେ ଲଣ୍ଡା ହୋଇଥିଲେ।
ଆଶିଷ କହିଛନ୍ତି ବିଜେପିକୁ ତ୍ରିପୁରାରେ ଗାଦିଚ୍ୟୁତ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ। କେବଳ ସେତିକି ନୁହେଁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପ୍ରଶଂସା କରିଥିବାରୁ ସେ ଟିଏମସିରେ ମିଶିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି। ଆଶିଷ କହିଛନ୍ତି ମମତା ବାନାର୍ଜୀ ମା’, ମାଟି ଓ ମନୁଷର ଅସଲି ନେତା। ଯଦି ଭବିଷ୍ୟତରେ ସେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତା’ହେଲେ ଏହା ସମଗ୍ର ବଙ୍ଗଳା ପାଇଁ ଗର୍ବର ବିଷୟ ହେବ। ମମତା ବାନାର୍ଜୀ ଯେଉଁଭଳି ଭବାନୀପୁରରେ ରେକର୍ଡ ବିଜୟ ହାସଲ କଲେ ସେଥିରୁ ତାଙ୍କ ଲୋକପ୍ରିୟତା ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି।
ଆଶିଷ କହିଛନ୍ତି ବିଜେପି କେବଳ ରାଜନୀତିକ ଅସ୍ଥିରତା ଓ ବିବାଦ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ତ୍ରିପୁରାରେ ବିଜେପି ସରକାରର କାର୍ଯ୍ୟରେ ଲୋକମାନେ ଅସନ୍ତୁଷ୍ଟ। ତେଣୁ ସେ ବାଧ୍ୟ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ଆଗକୁ ଆହୁରି ଅନେକ ବିଜେପି ବିଧାୟକ ଦଳ ଛାଡ଼ିବେ ବୋଲି ସେ ସୂଚନା ଦେଇଛନ୍ତି।