ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣରୁ ବଂଚିତ ପାଇଁ ସରକାର ଷଡ଼ଯନ୍ତ୍ର କରିଛନ୍ତି : ବିଜେପି

ଭୁବନେଶ୍ଵର : ରାଜ୍ୟର ପଛୁଆବର୍ଗଙ୍କ ସଂଖ୍ୟାକୁ କମ୍ ଦେଖାଇ ୫୪ ପ୍ରତିଶତ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ନଦେବା ପାଇଁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି। ବିଜେପି ଆଣିଛି ଏହି ଅଭିଯୋଗ।

ଶନିବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ୧୯୩୧ ମସିହାର ଜନଗଣନା ଆଧାରରେ ୫୪ପ୍ରତିଶତ ସଂଖ୍ୟାଗରିଷ୍ଠ ପଛୁଆବର୍ଗଙ୍କୁ ସମଗ୍ର ଦେଶର ୨୭ପ୍ରତିଶତ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦିଆଯାଉଥିବା ବେଳେ କେବଳ ମାତ୍ର ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ କରାଇନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସର୍ଭେ ବାହାନାରେ କେବଳ ରାଜ୍ୟ ସରକାର ପ୍ରଚାର ଚଳାଇଛନ୍ତି। ସଂରକ୍ଷଣ ମିଳୁନଥିବାରୁ ଜନସାଧାରଣଙ୍କର ଏଥିପ୍ରତି କୌଣସି ଆଗ୍ରହ ନାହିଁ। ୨୦ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ଏବେ କେଉଁ କେଉଁ ଜାତିବର୍ଗର ସର୍ଭେ ହେବ ତାହା ଚୁଡାନ୍ତ ନୁହେଁ। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜାତି କୋର୍ଡ ନମ୍ବର ତାଲିକାରେ ୨୧୦ଜାତିବର୍ଗ ନାମ ଉଲ୍ଲେଖ ଅଛି।

ସେ କହିଲେ ଆରମ୍ଭରୁ ଏହି ସର୍ଭେର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ବିଜେପି ଆଶଙ୍କା ବ୍ୟକ୍ତ କରିଆସୁଛି। ଚଳିତ ଶିକ୍ଷାବର୍ଷରେ ନାମଲେଖାରେ ପଛୁଆବର୍ଗ ସଂରକ୍ଷଣ ଦେବେ ନା ନାହିଁ ସରକାର ସ୍ପଷ୍ଟ କରନ୍ତୁ। ନାମଲେଖା ସମୟ ଅବଧି ସମାପ୍ତି ପୂର୍ବରୁ ରାଜ୍ୟ ସରକାର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ତୁରନ୍ତ ୨୭ପ୍ରତିଶତ ସଂରକ୍ଷଣ ଘୋଷଣା କରିବା ପାଇଁସେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅନୀଲ ବିଶ୍ୱାଳ, ଓବିସି ମୋର୍ଚ୍ଚା ସଂଯୋଜକ ବିବେକାନନ୍ଦ ଜେନା ଓ ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button