‘ନବୀନ ଓଡିଶା’ରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି : ଅନିଲ ବିଶ୍ୱାଳ

ଭୁବନେଶ୍ୱର : ୩୭ ଲକ୍ଷ ଟଙ୍କାର ନଗଦ କଳା ଟଙ୍କା ଜବତ ଘଟଣାରେ ଗିରଫ ହୋଇଥିବା ବୈପାରିଗୁଡାର ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ରହିଛି ବିଜେଡି ଲିଙ୍କ୍। ଜବତ ହୋଇଥିବା ଏତେ ପରିମାଣର ବିପୁଳ ଟଙ୍କା ସହିତ ଗଞ୍ଜେଇ ଚୋରାଚାଲାଣ ବେପାରର ସର୍ମ୍ପକ ରହିଛି। ଗଞ୍ଜେଇ ଚୋରା ଚାଲାଣରେ କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡର ଜଣେ ବିଧାୟକଙ୍କର ସମ୍ପୃକ୍ତି ରହିଛି। କେବଳ ସେତିକି ନୁହେଁ ସରକାରୀ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଓଏସଏସସିର ପୂର୍ବତନ କର୍ମଚାରୀ ବିରଂଚି ସାହୁଙ୍କ ସହିତ ସୁଶାନ୍ତଙ୍କର ମଧ୍ୟ ଘନିଷ୍ଠ ସର୍ମ୍ପକ ରହିଥିଲା। ବିଜେଡିର ଜଣେ ସାଂସଦଙ୍କ ଅଭିନିତ ଏକ ଚଳଚ୍ଚିତ୍ରରେ ସୁଶାନ୍ତ ଅଭିନୟ କରିବା ସହିତ ଅର୍ଥ ବିନିଯୋଗ କରିଥିବା ଅଭିଯୋଗ ଉଠୁଛି। ତେଣୁ ଏହି ସମସ୍ତ ଦିଗରେ ତଦନ୍ତ ହେବା ଆବଶ୍ୟକ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି।

ଓଡିଶାରେ ସରକାରୀ ସ୍ତରରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି। ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ଦୁର୍ନୀତି ଖୁଲମଖୁଲା ହେଉଛି ଯେ ଗିରଫ ହୋଇଥିବା ସୁଶାନ୍ତଙ୍କ କଳା ଟଙ୍କାକୁ ବସରେ ଆଣିବାକୁ ସାହାସ କରିଥିଲେ। ସୁଶାନ୍ତ ଆଗରୁ ନବୀନ ନିବାସରେ କାମ କରୁଥିଲେ। ଓଡିଶାରେ ଯେଉଁଠି ଦୁର୍ନୀତି ଗନ୍ଧ ଆସୁଛି ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲିଙ୍କ ଆସୁଛି। ଓଡିଶାରେ ଯେତେ ଦୁର୍ନୀତି ଗ୍ରସ୍ତ ଅଧିକାରି ବା ବ୍ୟବସାୟୀ ଧରା ପଡୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସର୍ମ୍ପକ କେମିତି ରହୁଛି ? ଆଗରୁ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ଗିରଫ ଘଟଣାରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଥିଲା। ଏବେ ଗିରଫ ହୋଇଥିବା ସୁଶାନ୍ତଙ୍କ ବିରୋଧରେ ଆଗରୁ ତିନି ତିନି ଜଣ ପୋଲିସ ଏସପିଙ୍କର ଲିଖିତ ପ୍ରୋସିଡିଙ୍ଗ ଥିବା ସତ୍ୱେ ତାଙ୍କୁ କିଭଳି ପଦୋନ୍ନତି ମିଳିଥିଲା ? ଏହା ପଛରେ କାହାର ପ୍ରଛନ୍ନ ଆର୍ଶୀବାଦ ଥିଲା ତାହା ଓଡିଶାବାସୀ ଜାଣିବା ଦରକାର ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button