ଏହି ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର ଓ ରୋଭର

ନୂଆଦିଲ୍ଲୀ : ଦେଶର ତୃତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ସହ ଉତକ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଶୁକ୍ରବାର ଅପରାହ୍ନ ୨ଟା ୩୫ ମିନିଟରେ ଏହି ଉତକ୍ଷେପଣ କରାଯାଇଛି। ଏବେ ଚନ୍ଦ୍ରପୃଷ୍ଠରେ ଏହାର ସଫ୍ଟ ଲାଣ୍ଡିଙ୍ଗକୁ ଅହିଛି ଅପେକ୍ଷା।
ଖବର ଅନୁଯାୟୀ ଚନ୍ଦ୍ରଯାନ-୩ ମହାକାଶଯାନରେ ୩ଟି ଲ୍ୟାଣ୍ଡର/ରୋଭର ଓ ପ୍ରୋପଲସନ ମଡ୍ୟୁଲ ରହିଛି। ପ୍ରାୟ ୪୦ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୩ କିମ୍ବା ୨୪ତାରିଖରେ ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବେ। ଏବେ ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରର କକ୍ଷପଥରେ ପରିକ୍ରମଣ କରିବ। କିନ୍ତୁ ପ୍ରୋପଲସନ ମଡ୍ୟୁଲ ଚନ୍ଦ୍ରର ପରିକ୍ରମଣ କରି ଚନ୍ଦ୍ରକୁ ପୃଥିବୀକୁ ଆସୁଥିବା ବିକିରଣ ଉପରେ ଅଧ୍ୟୟନ କରିବ।
ଇସ୍ରୋ ମୁଖ୍ୟ ଏସ.ସୋମନାଥ କହିଛନ୍ତି ଚନ୍ଦ୍ରଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛି। ଏହି ମିସନ ମାଧ୍ୟମରେ ଚନ୍ଦ୍ର ଉପରେ ପୃଥିବୀର ବିକିରଣର ଅଧ୍ୟୟନ କରାଯିବ। ଏଥିସହ ଚନ୍ଦ୍ର ପୃଷ୍ଠର ମାଟି ଓ ଧୂଳିର ଅଧ୍ୟୟନ ମଧ୍ୟ କରାଯିବ। ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରରେ ଅବତରଣ କଲେ ଏହା କରିବାରେ ଭାରତ ହେବ ଚତୁର୍ଥ ଦେଶ। ପୂର୍ବରୁ ଆମେରିକା, ରୁଷିଆ ଓ ଚୀନ ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରାଇସାରିଛନ୍ତି।