ଇତିହାସ ରଚିଲା ଭାରତ : ଚନ୍ଦ୍ରଯାନ-୩ର ସଫଳ ଅବତରଣ

ନୂଆଦିଲ୍ଲୀ : ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଇତିହାସ ରଚିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ନିରାପଦରେ ଅବତରଣ କରିଛି। ଏହି ସଫଳତା ହାସଲ କରିବାରେ ଭାରତ ହୋଇଛି ବିଶ୍ଵର ୪ର୍ଥ ମହାକାଶ ସଂସ୍ଥା। ପୂର୍ବରୁ ଆମେରିକା, ରୁଷ ଓ ଚୀନ ସଫଳତା ହାସଲ କରିଥିଲେ ହେଁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ହୋଇଛି ପ୍ରଥମ ଦେଶ।

ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଭାରତର ମହାକାଶ ଅଭିଯାନ କେବଳ ଚନ୍ଦ୍ରରେ ସୀମିତ ରହିବନି। ଏହା ସୌରମଣ୍ଡଳର ସୀମା ପର୍ଯ୍ୟନ୍ତ ଯିବ। ଖୁବଶୀଘ୍ର ସୂର୍ଯ୍ୟ ଅଭିଯାନ ପାଇଁ ଆଦିତ୍ୟ ଏଲ-୧ ମିସନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେହିପରି ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଏହା ଭାରତର ଉଦୟର କ୍ଷଣ।

ଏବେ ବିକ୍ରମ ଚନ୍ଦ୍ରରୁ ଇସ୍ରୋର କମାଣ୍ଡ୍ ସେଣ୍ଟରକୁ ପଠାଯାଇଥିବା ବାର୍ତ୍ତାରେ କହିଛି ଭାରତ, ମୁଁ ମୋ ର ଗନ୍ତବ୍ୟସ୍ଥଳରେ ପହଞ୍ଚିଛି। ଆପଣ ମାନେ ମଧ୍ୟ। ଇସ୍ରୋ ପକ୍ଷରୁ ଏକ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଭାରତର ଏହି ସଫଳତା ପରେ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋକୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଅଭିନନ୍ଦନ ଜଣାଇଛି। ନାସା ମୁଖ୍ୟ ବିଲ୍ ନେଲସନ ଟ୍ୱିଟ୍ କରି କହିଛନ୍ତି ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଇସ୍ରୋ ଓ ଭାରତକୁ ଅଭିନନ୍ଦନ। ଚନ୍ଦ୍ରରେ ମହାକାଶଯାନକୁ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଚତୁର୍ଥ ଦେଶ ହୋଇଛି। ଏହି ମିଶନରେ ଆପଣଙ୍କ ପାର୍ଟନର ହୋଇ ଆମେ ଖୁସି। ସେହିପରି ୟୁରୋପୀୟ ମହାକାଶ ଏଜେନ୍ସିର ମହାନିର୍ଦ୍ଦେଶକ ଜୋସେଫ୍ ଆଶବାଚର ଇସ୍ରୋକୁ ଅଭିନନ୍ଦନ ଜଣାଇ ଟ୍ୱିଟ୍ କରି ଲେଖିଛନ୍ତି ଚନ୍ଦ୍ରଯାନ-୩ର ଅବିଶ୍ୱସନୀୟ ସଫଳତା ପାଇଁ ଇସ୍ରୋ ଓ ଭାରତର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ।

ସୂଚନାଯୋଗ୍ୟ ଇସ୍ରୋ ଗତ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ପଠାଇଥିଲା। ଏହା ପୂର୍ବରୁ ୨୦୦୮ରେ ଚନ୍ଦ୍ରଯାନ-୧ ଓ ୨୦୧୯ରେ ଚନ୍ଦ୍ରଯାନ-୨ ପ୍ରେରଣ କରିଥିଲା। ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ଚନ୍ଦ୍ରଯାନ-୧ର ଉତକ୍ଷେପଣ କରିଥିଲା। ଏହାଥିଲା ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ। ଚନ୍ଦ୍ରଚାରିପଟେ ବୁଲିବା ସହିତ ଚନ୍ଦ୍ରପୃଷ୍ଠରେ ଜଳ ଅଣୁ ଆବିଷ୍କାର କରିଥିଲା । ଇସ୍ରୋ ୨୦୧୯ରେ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ଉତ୍ପତ୍ତି ଓ ବିକାଶକୁ ବୁଝିବା ପାଇଁ ଏକ ବିସ୍ତୃତ ଅଧ୍ୟୟନ କରିବା। ୭ ସେପ୍ଟେମ୍ବର ୨୦୧୯ରେ ଲ୍ୟାଣ୍ଡର ବିକ୍ରମ ସ୍ଥଳ ନିୟନ୍ତ୍ରଣ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଓ ତାହା ହାର୍ଡ ଲାଣ୍ଡିଂ କରିଥିଲା। ତେବେ ଅର୍ବିଟର ଏବେ କାର୍ଯ୍ୟକ୍ଷମ ରହିଛି ଓ ଚନ୍ଦ୍ର ବିଷୟରେ ତଥ୍ୟ ଦେଉଛି।

Leave a Reply

Your email address will not be published. Required fields are marked *

Back to top button