ତାଇୱାନ୍‌ ସୀମା ଅତିକ୍ରମ କଲା ଚୀନ୍‌ର ୩୭ ଲଢୁଆ ବିମାନ

ତାଇପେଇ : ତାଇୱାନ୍‌ର ବାୟୁ ସୁରକ୍ଷା ଜୋନ୍‌ ମଧ୍ୟକୁ ୩୭ ଚୀନ ଲଢୁଆ ବିମାନ ପ୍ରବେଶ କରିଥିବା କହିଛି ତାଇୱାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ।

ତାଇୱାନ୍‌ ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ସୁନ୍‌ ଲି-ଫାଙ୍ଗ୍‌ କହିଛନ୍ତି ଗୁରୁବାର ସ୍ଥାନୀୟ ସମୟ ଭୋର୍‌ ୫ଟାରୁ ସମୁଦାୟ ୩୭ଟି ଚୀନ ଲଢୁଆ ବିମାନ ତାଇୱାନର୍‌ ଦକ୍ଷିଣପଶ୍ଚିମ ବାୟୁ ସୀମା ସୁରକ୍ଷା ଜୋନ୍‌ ମଧ୍ୟକୁ ପ୍ରବେଶ କରିଛି। ସେଥିରୁ କେତେକ ଦୂରଗାମୀ ପର୍ଯ୍ୟବେକ୍ଷଣ ତାଲିମରେ ପଶ୍ଚିମ ପ୍ରଶାନ୍ତ ମହାସାଗର ଆଡ଼କୁ ଉଡ଼ିଯାଇଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ତାଇୱାନ୍‌ ସେନା ଏହାର ମୁକାବିଲା କରିବା ପାଇଁ ପାଟ୍ରୋଲ୍‌ ବିମାନ, ଯୁଦ୍ଧପୋତ ଓ ଭୂପୃଷ୍ଠରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ବ୍ୟବସ୍ଥା ସକ୍ରିୟ କରିଥିବା ଟୁଇଟ୍‌ କରି ତାଇୱାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା‌ ଦେଇଛି।

ସୂଚନାଯୋଗ୍ୟ ତାଇୱାନ୍‌କୁ ନିଜ ଦେଶର ବୋଲି ଘୋଷଣା କରି ଆସୁଥିବା ଚୀନ୍‌ ପ୍ରତିଜ୍ଞା କରିଛି ପ୍ରୟୋଜନ ହେଲେ ବଳ ପ୍ରୟୋଗ କରି ଦିନେ ନା ଦିନେ ତାଇୱାନ୍‌କୁ ଅକ୍ତିଆର କରିବ। ଅଳ୍ପ କିଛିବର୍ଷ ହେବ ବେଜିଙ୍ଗ୍‌ ତାଇୱାନ୍‌ର ବାୟୁ ସୁରକ୍ଷା ସୀମା ମଧ୍ୟକୁ ବହୁଥର ଲଢୁଆ ବିମାନ ପଠାଉଛି। ୨୦୨୧ ଠାରୁ ୨୦୨୨ରେ ଚୀନ ଦୁଇଗୁଣ ଲଢୁଆ ବିମାନ ବାୟୁ ସୀମାକୁ ପଠାଇଛି।

Leave a Reply

Your email address will not be published. Required fields are marked *

Back to top button