ଓଡ଼ିଶାକୁ ଲିଜ୍ ଆକାରରେ ଶାସନ କରିବାକୁ ଆଉ ଦିଆଯିବ ନାହିଁ : ଶରତ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଲିଜ୍‌ରେ ସରକାର ଚଳାଇଛନ୍ତି । ୨୦୦୦ ମସିହାରୁ ୨୦୦୯ ପ୍ୟାରିମୋହନ ମହାପାତ୍ର ଓ ୨୦୧୪ରୁ ଏ ପର୍ଯ୍ୟନ୍ତ ପାଣ୍ଡିଆନଙ୍କ ମାଧ୍ୟମରେ ଶାସନ ଚାଲାଇଛନ୍ତି। କିନ୍ତୁ ଓଡ଼ିଶାକୁ ଆଉ ଲିଜ୍‌ରେ ଶାସନ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ।

ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଛନ୍ତି ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଜଙ୍ଗଲ, ଜମି, ଖଣି, ଚିଠ୍ ଫଣ୍ଡ ଓ କୋଭିଡ଼୍ ବେଳେ କିଣାଯାଇଥିବା ମେଡ଼ିକାଲ ଉପକରଣ ଆଦି କୋଟିକୋଟି ଟଙ୍କା ଦୁର୍ନୀତିର ତଦନ୍ତ କରାଯିବ। ସେ କହିଲେ ବିଜେଡ଼ି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। ଓଡ଼ିଶାର ଜନସାଧାରଣଙ୍କୁ ଭ୍ରମିତ କରିବା ପାଇଁ ଏମାନେ ବିଭିନ୍ନ ସମୟରେ ଗଣମାଧ୍ୟମରେ କଳି ଝଗଡା କରୁଛନ୍ତି।

ଶ୍ରୀ ପଟ୍ଟନାୟକ କହିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବାର ଆବେଦନ ଓ ଏହାକୁ କେନ୍ଦ୍ର ସରକାରଙ୍କ ତୁରନ୍ତ ଅନୁମୋଦନ ସ୍ପଷ୍ଟ ସୂଚାଉଛି ଓଡ଼ିଶା ପ୍ରତି ବହୁ ପୂର୍ବରୁ ରଚାଯାଇଥିବା ଷଡ଼ଯନ୍ତ୍ରର ଏହା ଏକ ଅଂଶ। କାରଣ ଭି.କେ ପାଣ୍ଡିଆନ ଗତ ଅକ୍ଟୋବର ୨୦ ତାରିଖ ଦିନ ସରକାରୀ ଚାକିରୀରୁ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ରାଜ୍ୟ ସରକାର ଏହାକୁ କେନ୍ଦ୍ର ସରକାରଙ୍କ କାର୍ମୀଙ୍କ ମନ୍ତ୍ରଣାଳୟକୁ ପଠାଇଥିଲେ। ଆବେଦନ ଓ ଅନୁମୋଦନ ତାରିଖ ମଧ୍ୟରେ ଦୁଇଦିନ ଭାରତ ସରକାରଙ୍କର ଛୁଟି ଦିନ ଥିଲା। ଏହାସତ୍ତ୍ଵେ କିଭଳି ଓ କାହିଁକି ଏତେ ଦ୍ରୁତଗତିରେ ଆବେଦନ ପତ୍ରକୁ ୪୮ ଘଂଟା ମଧ୍ୟରେ ଅନୁମୋଦନ କରିଦିଆଗଲା। ଓଡ଼ିଶାରେ ଅନ୍ୟ ଆଇଏଏସ୍‌. ଅଫିସରମାନେ ସ୍ୱେଚ୍ଛାକୃତ ଅବସର ନେବାକୁ ମୋଦୀ ସରକାରଙ୍କ ଅମଳରେ ଆବେଦନ କରିଥିଲେ ତାକୁ କେନ୍ଦ୍ର ସରକାର ଫେରାଇଦେଲେ। କିନ୍ତୁ ପାଣ୍ଡିଆନଙ୍କ କ୍ଷେତ୍ରରେ ତୁରନ୍ତ ନିଷ୍ପତ୍ତି ବିଜେଡ଼ି ଓ ବିଜେପି ନେତାମାନଙ୍କ ମଧୁର ସଂପର୍କର ପ୍ରତିଫଳନ କି ନୁହେଁ ?

ସେ କହିଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେନ୍ଦ୍ର ସରକାର ୨୦୨୩ ଜୁନ୍ ୨୬ ତାରିଖରେ ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ସର୍ବଭାରତୀୟ ପ୍ରଶାସନିକ ଶାସନ ବ୍ୟବସ୍ଥାର ନିୟମ, ଆଚାର ସଂହିତା ଓ ନୀତିର ଘୋର ଉଲଘଂନ ଅଭିଯୋଗରେ ତଦନ୍ତ କରିବା ପାଇଁ ଓଡ଼ିଶା ମୁଖ୍ୟ ଶାସନ ସଚୀବଙ୍କୁ ଚିଠି ଲେଖିଥିଲେ। ରାଜ୍ୟ ବିରୋଧି ଦଳର ନେତୃବର୍ଗ ଏପରିକି ସାଂସଦ ଓ ବିଧାୟକମାନେ ସମସ୍ତ ପ୍ରମାଣପତ୍ର ସହ ଅଭିଯୋଗ କରିଥିଲେ। କେନ୍ଦ୍ର ସରକାର ତାଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ କାହିଁକି ଓ କାହା ସ୍ୱାର୍ଥ ପାଇଁ ତାଙ୍କର ଆବେଦନକୁ ଅନୁମୋଦନ କଲେ ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button