ଜୟରାମ ପାଙ୍ଗି କଂଗ୍ରେସରେ ମିଶିଲେ

ଭୁବନେଶ୍ୱର : କୋରାପୁଟର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଜୟରାମ ପାଙ୍ଗି ଆଜି କଂଗ୍ରେସରେ ଯୋଗଦେଇଛନ୍ତି। ଏହା ପୂର୍ବରୁ ସେ ବିଆରଏସ, ବିଜେପି ଓ ବିଜେଡିରେ କାର୍ଯ୍ୟ କରିଛନ୍ତି। ସେହିପରି ତଳସରାର ପୂର୍ବତନ ବିଧାୟକ ରଂଜିତ ଭିତ୍ରିଆ ବିଜେଡ଼ି ଛାଡି କଂଗ୍ରେସରେ ଯୋଗଦେଇଥିବା ବେଳେ ଅନେକ ବୁଦ୍ଧିଜୀବୀ ଓ ଯୁବନେତା ବିଜେପି ଓ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି।

ଖବର ଅନୁଯାୟୀ କଂଗ୍ରେସରେ ମିଶିବା ପରେ ଜୟରାମ ପାଙ୍ଗୀ କହିଛନ୍ତି ବାପାଙ୍କ ଦଳରେ ଯୋଗଦେଲି। ସେ କହିଥିଲେ ଯେଉଁ ପର୍ଯ୍ୟନ୍ତ କଂଗ୍ରେସକୁ ନ ଆସିଛୁ ଘରକୁ ଆସିବୁନି। ଆଜି ତାଙ୍କ ଆତ୍ମା ଖୁସି ହୋଇଥିବ। ଆଗକୁ ନେତୃତ୍ୱ ନେବାକୁ ପ୍ରସ୍ତୁତ ଜୟରାମ କହିଥିବା ବେଳେ ବଞ୍ଚିଥିବା ପର୍ଯ୍ୟନ୍ତ ଆଦିବାସୀଙ୍କ ଜମିକୁ ହସ୍ତାନ୍ତର କରିବାକୁ ଦେବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଜୟରାମ ପାଙ୍ଗି ୧୯୭୭ ମସିହାରେ ଜନତା ଦଳ ଟିକେଟ୍‌ରେ ପଟ୍ଟାଙ୍ଗୀ ବିଧାନସଭା ଆସନରୁ ଜିତି ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୯୦ରେ ମଧ୍ୟ ଜନତା ଦଳର ବିଧାୟକ ‌ହୋଇଥିଲେ। ଏହି ସମୟରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ। ୨୦୦୦ ଓ ୨୦୦୪ରେ ବିଜେଡି ଟିକେଟରେ ପଟ୍ଟାଙ୍ଗୀରୁ ବିଜୟ ଲାଭ କରିଥିଲେ। ୨୦୦୯ରେ ତାଙ୍କୁ କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ କରିଥିଲା। ପରେ ଦଳୀୟ ଟିକେଟରୁ ବଞ୍ଚିତ ହେବାରୁ ୨୦୧୭ରେ ସେ ବିଜେପିରେ ମିଶିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। କିଛି ଦିନ ପୂର୍ବରୁ ବିଜେପି ଛାଡ଼ି ସେ ବିଆରଏସରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button