ଡିଏନ୍ ଗ୍ରୁପ ଉପରେ ଚଢ଼ଉ : ଜବତ ଟଙ୍କା ରିଜର୍ଭ ବ୍ୟାଙ୍କ ଗଲା

ଭୁବନେଶ୍ଵର : ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ବେଳେ ଜବତ ଟଙ୍କା ଆଉ ଥରେ ଗଣାଯିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଯାଇଛି। ଏହାଛଡା ପାଖାପାଖି ୧୦୦ କୋଟି ଟଙ୍କାର ମନି ରିସିପ୍‌ ଇନକମ୍ ଟ୍ୟାକ୍ସ ଅଧିକାରୀ ସାଙ୍ଗରେ ନେଇଥିବା ଜଣାପଡିଛି।

ଖବର ଅନୁଯାୟୀ ଡିଏନ୍ ଗ୍ରୁପର ଭୁବନେଶ୍ଵର ନୂଆପଲ୍ଲୀ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ଆଜି ଦ୍ୱିତୀୟ ଦିନରେ ମଧ୍ୟ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଇନକମ୍ ଟ୍ୟାକ୍ସ ରେଡ଼ ଜାରି ରହିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଡ଼ ଚାଲିଥିବା ବେଳେ ଆଜି ସକାଳୁ ଆଉ ଏକ ଟିମ ଆସି ପହଞ୍ଚିଛି। ଟିମ୍‌ ଭିନ୍ନ ଭିନ୍ନ ସ୍ଥାନରେ ରେଡ଼ କରୁଛି। ଆୟକର ବିଭାଗ ମିଳିଥିବା ଟଙ୍କାର ସୋର୍ସ ଖୋଜୁଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ରେଡ ସରିବା ନେଇ ସୂଚନା ରହିଛି।

ଡିଏନ୍ ଗ୍ରୁପ୍ ଅଫ୍ କମ୍ପାନି ୨୦୦୩ରେ ବିଲ୍ଡର୍ସ ଓ କନଷ୍ଟ୍ରକସନ୍ ସଂସ୍ଥାରୁ ଆରମ୍ଭ ହୋଇଥିଲା। ଏହାର ଏକାଧିକ ସଂସ୍ଥା ସହିତ ଏକ ଶିକ୍ଷାନୁଷ୍ଠାନ ରହିଛି। ତଦନ୍ତକାରୀ ଟିମ୍ ହାତରେ ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକର୍ ଲାଗିଛି। ବ୍ୟାଙ୍କ ଆକାଉଣ୍ଟରେ କାରବାର ଓ ଲକର୍‌କୁ ଯାଞ୍ଚ କରାଯିବ। ଅନ୍ୟପକ୍ଷରେ ନଗଦ ପ୍ରାୟ ୩୦ କୋଟି ଟଙ୍କା ମିଳିଥିବାରୁ ଏ ସଂକ୍ରାନ୍ତରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଖୁବଶୀଘ୍ର ନିଜ ଆଡୁ ମାମଲା ରୁଜୁ କରି ଡିଏନ୍ ଗ୍ରୁପର ବେଆଇନ୍ ଆର୍ଥିକ କାରବାରକୁ ନେଇ ତଦନ୍ତ କରିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button