କର୍ଣ୍ଣାଟକ : ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଓ ଶିବକୁମାର ହେବେ ଉପମୁଖ୍ୟମନ୍ତ୍ରୀ, ୨୦ରେ ଶପଥ

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଭିଡାଓଟରାର ପରିସମାପ୍ତି ଘଟିଛି। ବରିଷ୍ଠ ନେତା ସିଦ୍ଦରମେୟା ହେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା କରିଛନ୍ତି। ଏହି ପଦବୀ ଲାଗି ପ୍ରମୁଖ ଦାବିଦାର ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବାକୁ ସହମତ ହୋଇଛନ୍ତି। ଆସନ୍ତା ମଇ ୨୦ରେ ବେଙ୍ଗାଲୁରୁରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବକୁ କଂଗ୍ରେସ ତରଫରୁ ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ସେଥିରେ ରହିଛି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ।

ଖବର ଅନୁଯାୟୀ ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପୂର୍ତତନ ସାଂସଦ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଏକାଧିକ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ହେଁ କୌଣସି ନିର୍ଯାସ ବାହାରି ପାରିନଥିଲା। କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡି.କେ ଶିବକୁମାରଙ୍କ ଉପସ୍ଥିତିରେ ସମସ୍ୟାର ହୋଇଥିଲା ସମାଧାନ। ଆଉ ଧାର୍ଯ୍ୟ ହୋଇଛି ଶପଥ ଗ୍ରହଣ ଉତ୍ସବ ତାରିଖ। ଏଥିପାଇଁ ଅତିଥି ତାଲିକା କଂଗ୍ରେସ ପ୍ରକାଶ କରିଛି।

ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଯୁବନେତା ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଏମାନଙ୍କ ବ୍ୟତୀତ ତାଲିକାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରସିଂ ସୁଖୁ,ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅନ୍ୟମାନଙ୍କ ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାର୍ଲିନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି। ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ନ୍ୟାସନାଲ କନଫରେନ୍ସ ନେତା ଫାରକୁ ଅବ୍ଦୁଲ୍ଲାଙ୍କ ନାମ ନିମନ୍ତ୍ରଣ ତାଲିକାରେ ରହିଛି।

Leave a Reply

Your email address will not be published. Required fields are marked *

Back to top button