କଂଗ୍ରେସର ବ୍ଲକ ଘେରାଉ ଶୁକ୍ରବାର

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜନମାରଣ ନୀତି ଓ ଦୁର୍ନୀତି-ଅନିୟମିତତା ପ୍ରତିବାଦରେ ରାଜ୍ୟର ସମସ୍ତ ବ୍ଲକ ଘେରାଉ କରିବ କଂଗ୍ରେସ। ଏହି ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ।

ଖବର ଅନୁଯାୟୀ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ରାଜ୍ୟର ବ୍ଲକଗୁଡ଼ିକରେ ପିସି କାରବାର ବଢ଼ିଚାଲିଛି। ଏହା ତୁରନ୍ତ ବନ୍ଦ ହେବା ଦରକାର। ଟାଟା ପାୱାର କମ୍ପାନୀ ଦ୍ୱାରା ରାଜ୍ୟରେ ବାରମ୍ବାର ପାୱାର କଟ୍‌, ଲୋ’ ଭୋଲଟେଜ୍ ସମସ୍ୟାରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ବିଦ୍ୟୁତ ଦର ମଧ୍ୟ ଅପେକ୍ଷାକୃତ ଅଧିକ ରହିଛି। ଏହାକୁ ପ୍ରତ୍ୟାହାର କରାଯାଉ।

ସେ କହିଲେ ରାଜ୍ୟରେ ଏବେ ୨.୨୬ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବା ବେଳେ ବହୁ ସଂଖ୍ୟାରେ ଶିକ୍ଷିତ ଯୁବକଯୁବତୀ ବେକାର ହୋଇ ବୁଲୁଛନ୍ତି। ସରକାର ଏହି ପଦବୀଗୁଡ଼ିକରେ ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦିଅନ୍ତୁ। ସେହିପରି ଧାନକିଣାବେଳେ ଚାଷୀଠୁ କଟନୀଛଟନୀ ନାଁରେ ଯେଉଁ ଧାନ ରଖାଯାଉଛି ତାକୁ ବନ୍ଦ କରାଯାଉ। ଏସବୁ ଘଟଣାରେ ରାଜ୍ୟ ସରକାରଙ୍କ ଉଦାସୀନତା,ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ କଂଗ୍ରେସ ଆସନ୍ତା ୧୮ତାରିଖରେ ରାଜ୍ୟର ସବୁ ବ୍ଲକ ଘେରାଉ କରିବା ସହ ପ୍ରତିବାଦ ସଭା କରିବ। ଏହି କାର୍ଯ୍ୟକ୍ରମରେ ଦଳର କର୍ମୀ, ସମର୍ଥକ, ପଂଚାୟତ ଓ ବ୍ଲକ ସଭାପତିଙ୍କଠୁ ଆରମ୍ଭ କରି ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ ଓ ଦଳୀୟ ପଦାଧିକାରୀମାନଙ୍କୁ ଯୋଗଦେବାକୁ କୁହାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ନିର୍ବାଚନ କମିଟି ସଭାପତି ବିଜୟ କୁମାର ପଟ୍ଟନାୟକ ଓ ମିଡିଆ ସେଲ୍ ମୁଖ୍ୟ ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button