ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ଧର୍ମଗଡ଼ : କଳାହାଣ୍ଡି ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ହୋଇଛି।
ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାରରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଏହି ମାମଲା ସରକାରୀ ଓକିଲ ପୂର୍ଣ୍ଣ ଚନ୍ଦ୍ର ନାଗ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ ୨୦୦୫ ସେପ୍ଟେମ୍ବର ୩୦ ଦିନ ଶୌଚ ହେବାକୁ ଯାଇଥିବା ଜଣେ ନାବାଳିକାକୁ ବ୍ରହାନନ୍ଦ ବାଗ, କୁଲମଣି ଠାକୁର ଓ ଅନୀଲ ସେନାପତି ଟେକିନେଇ ଦୁଇଦିନ ଧରି ଅଟକ ରଖିଥିଲେ। ଦୁଇଜଣ ସହଯୋଗୀଙ୍କ ସହାୟତାରେ ବ୍ରହ୍ମାନନ୍ଦ ବାଗ ଉକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ତାଙ୍କ ବାପାଙ୍କୁ କହିଥିଲେ ଏକ ଲକ୍ଷ ଟଙ୍କା ଦେଲେ ନାବାଳିକା ଛାଡ଼ିବେ। ନାବାଳିକାର ବାପା ଘଟଣା ସମ୍ପର୍କରେ ଜୁନାଗଡ଼ ଥାନାରେ ଜଣାଇଥିଲେ। ପୋଲିସ ଅକ୍ଟୋବର ୨ ତାରିଖ ଦିନ ନାବାଳିକାକୁ ମୁକୁନ୍ଦପୁର ଜଙ୍ଗଲରୁ ଉଦ୍ଧାର କରି ଅଭିଯୁକ୍ତ ବ୍ରହାନନ୍ଦ ବାଗକୁ ଗିରଫକରି କୋର୍ଟ ଚାଲାଣ କରିଥିଲେ। ବ୍ରହାନନ୍ଦଙ୍କ ଦୁଇ ସହଯୋଗୀ ଫେରାର ଅଛନ୍ତି।