ବିବାହର ୭ ମାସ : ସିକ୍କିମ୍ ବନ୍ୟା ମଥାରୁ ସିନ୍ଦୁର ପୋଛିଦେଲା

ଭୁବନେଶ୍ଵର : ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ହାବିଲଦାର ସରୋଜ ଦାସ ସହିଦ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ଏ ଖବର ଶୁଣିବା ପରେ ସରୋଜଙ୍କ ପରିବାର ଉପରେ ଯେପରି ଦୁଃଖର ପାହାଡ ଭାଙ୍ଗିପଡିଛି। ପତ୍ନୀ ଲୋପାମୁଦ୍ରା ଏବେ ପାଗଳି ପ୍ରାୟ ହେଉଥିବା ବେଳେ ମା’ ମୁର୍ଛା ଯାଉଛି। ବାଉଳି ହେଉଛନ୍ତି ବାପା। ଗାଁ ଲୋକ ଓ ସମ୍ପର୍କୀୟଙ୍କ ଆଖିରେ ଭରି ଯାଇଛି ଲୁହ।

ଖବର ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପର ଓଡ଼ିଆ ଯବାନ ସରୋଜ କୁମାର ଦାସ। ୨୦୧୨ରେ ଭାରତୀୟ ସ୍ଥଳ ସେନାରେ ଯୋଗ ଦେଇଥିଲେ। ଚଳିତବର୍ଷ ଫେବ୍ରୁଆରୀ ୧୧ ତାରିଖରେ ହୋଇଥିଲା ବିବାହ। ଗତ ରାକ୍ଷୀ ପୂର୍ଣ୍ଣମୀରେ ଶେଷ ଥର ପାଇଁ ଘରକୁ ଆସି ଭଉଣୀ ହାତରୁ ରାକ୍ଷୀ ବାନ୍ଧିଥିଲେ ସରୋଜ। ସେପ୍ଟେମ୍ବର ୪ରେ ପୁଣି କାର୍ଯ୍ୟସ୍ଥଳ ସିକ୍କିମକୁ ଯାଇଥିଲେ। କିଛିଦିନ ପରେ ଫେରି ଆସିବାକୁ ପତ୍ନୀଙ୍କୁ ଦେଇଥିଲେ ପ୍ରତିଶ୍ରୁତି। କିନ୍ତୁ କଥା ରଖି ପାରିଲେନି। ପତ୍ନୀଙ୍କୁ ଏକାକରି ଚାଲିଗଲେ। ସିକ୍କିମ୍ ବନ୍ୟାରେ ନିଖୋଜ ହୋଇଥିବା ଖବର ପ୍ରଥମେ ଆସିଥିଲା। ସମସ୍ତଙ୍କର ଆଶାଥିଲା ସେ ସୁରକ୍ଷିତ ଫେରି ଆସିବେ। ସେଥିପାଇଁ ଗାଁରେ ଚାଲିଥିଲା କୀର୍ତ୍ତନ। ହେଲେ ବିଧିର ବିଧାନ ଥିଲା ଅଲଗା। ସରୋଜ ସହିଦ ହୋଇଯାଇଥିବା ଖବର ସମସ୍ତଙ୍କୁ ନିରାଶ କରିଥିଲା।

ବନ୍ୟା ବିଧ୍ୱସ୍ତ ତିସ୍ତା ନଦୀର ପଙ୍କିଳ ଶଯ୍ୟା ଭିତରୁ ସରୋଜଙ୍କ ମରଶରୀର ଉଦ୍ଧାର ପରେ ସେନା ପକ୍ଷରୁ ତାଙ୍କ ଗାଁ ଅଭିମୁଖେ ପଠାଇବାର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ। ଏନେଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Back to top button