ହେଜବୋଲ୍ଲା ଆକ୍ରମଣ କଲେ ଲେବାନନ୍ରେ ଧ୍ଵଂସଲୀଳା ସୃଷ୍ଟି ହେବ : ଇସ୍ରାଏଲ ପ୍ରଧାନମନ୍ତ୍ରୀ

ତେଲ୍ ଅଭିଭ୍ : ଇସ୍ରାଏଲ-ହମାସ ଯୁଦ୍ଧରେ ନୂଆ ମୋଡ଼। ଆରବ ରାଷ୍ଟ୍ରଙ୍କ ଚାପକୁ ଖାତିର୍ ନକରି ଇସ୍ରାଏଲ ଗାଜା ସମେତ ଲେବାନନ୍, ସିରିୟା ଓ ୱେଷ୍ଟ୍ବ୍ୟାଙ୍କରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଧମକ ଦେଇଛନ୍ତି ଯଦି ହେଜବୋଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରେ ତେବେ ଲେବାନନ୍ରେ ଧ୍ଵଂସଲୀଳା ସୃଷ୍ଟି ହେବ।
ଖବର ଅନ୍ୟଯାୟୀ ଗାଜାରେ ବୋମାମାଡ଼ ଜାରି ରହିଛି। ଏହି ଆକ୍ରମଣରେ ୫୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପ୍ରତିଷ୍ଠାନ ମାଟିରେ ମିଶିଯାଇଛି। ଲୋକେ ତୁରନ୍ତ ଉତ୍ତର ଗାଜା ଛାଡ଼ିବାକୁ ଇସ୍ରାଏଲ ଚରଣବାଣୀ ଶୁଣାଇଛି। ଆଉ ସ୍ପଷ୍ଟ କରିଛି ଆକ୍ରମଣ କୌଣସି ସ୍ଥିତିରେ ଅଟକିବ ନାହିଁ। ଅନ୍ୟପକ୍ଷରେ ଉତ୍ତର ଲୋବାନନ, ସିରିୟା ଓ ୱେଷ୍ଟ୍ବ୍ୟାଙ୍କରେ ମଧ୍ୟ ଇସ୍ରାଏଲ ଏକସମୟରେ ଆକ୍ରମଣ କରି ଯୁଦ୍ଧ ପରିସରକୁ ବ୍ୟାପକ କରିଛି।
ଇସ୍ରାଏଲ-ଲେବାନନ୍ର ସୀମାରେ ଗୁଳିବର୍ଷା ହୋଇଥିବା ବେଳେ ସିରିୟାର ଡାମାସ୍କସ ଓ ଆଲେପୋରେ ବିଭିନ୍ନ ପର୍ଯ୍ୟାୟରେଇସ୍ରାଏଲ କ୍ଷେପଣାସ୍ତ୍ର ମାଡ଼ କରିଛି। ହେଜବୋଲ୍ଲା ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କରିଥିବାରୁ ଆମେରିକା ଇରାନକୁ ଚେତାବନୀ ଦେଇ ଇସ୍ରାଏଲ-ହମାସ ସଂଘର୍ଷରୁ ଦୂରେଇ ରହିବା ପାଇଁ କହିଛି। ଆମେରିକା ମଧ୍ୟପ୍ରାଚ୍ୟରେ ସୈନ୍ୟ ମୁତୟନ ବୃଦ୍ଧି ସହିତ ଯୁଦ୍ଧ ବିମାନ ସଂଖ୍ୟା ବଢ଼ାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହେଜବୋଲ୍ଲାର ପ୍ରାୟ ୬ ଜଣ କମାଣ୍ଡର ସମେତ ଅନେକ ଆତଙ୍କବାଦୀ ନିପାତ ହେବା ଇସ୍ରାଏଲ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି।
ଇସ୍ରାଏଲ ସ୍ପଷ୍ଟ କରିଛି ହମାସ ୨୧୨ ଜଣଙ୍କୁ ଗାଜାରେ ପଣବନ୍ଦୀ ରଖି ସେମାନଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଛି। ପଣବନ୍ଦୀଙ୍କୁ ଛାଡ଼ିବା ନେଇ ଅନେକ ବିଭ୍ରାନ୍ତିକର ଖବର ପ୍ରଚାର କରାଯାଉଥିବାରୁ ଇସ୍ରାଏଲ କର୍ତ୍ତୃପକ୍ଷ ଏହାର କଡ଼ା ବିରୋଧ କରିଛନ୍ତି। ଦୁଇଦିନ ମଧ୍ୟରେ ୱେଷ୍ଟ୍ବ୍ୟାଙ୍କରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ପରେ ୭୦୦ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛ। ସେମାନଙ୍କ ମଧ୍ୟରେ ୪୮୦ ଜଣ ହମାସ୍ ଆତଙ୍କବାଦୀ ରହିଥିବା କୁହାଯାଇଛି। ପାଲେଷ୍ଟାଇନରେ ବୋମା ଓ କ୍ଷେପଣାସ୍ତ୍ର ମାଡ଼ରେ ଏ ପର୍ଯ୍ୟନ୍ତ ୪୭୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ ହଜାର ଲୋକ ଆହତ ହୋଇଛନ୍ତି। ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ୧୦ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।