ପତ୍ନୀକୁ ହତ୍ୟା : ମୃତଦେହକୁ ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲା ସ୍ଵାମୀ

ବ୍ରହ୍ମପୁର : ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ନୃଶଂସ ହତ୍ୟାକାଣ୍ଡ ଘଟିଛି। ପତ୍ନୀକୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟି ଋଷିକୂଲ୍ୟା ନଦୀକୁ ଫିଙ୍ଗି ଦେଇଛି ସ୍ଵାମୀ।

ଖବର ଅନୁଯାୟୀ ଇ ବର୍ଷର ପ୍ରେମ ସମ୍ପର୍କ ନେଇଥିଲା ବିବାହର ରୂପ। ପ୍ରେମିକାଙ୍କ କପାଳରେ ସିନ୍ଦୂର ଦେଇଥିଲେ ପ୍ରେମିକ। ଗାଁ ମନ୍ଦିରରୁ ଉଠିଥିଲା ସବାରୀ। ବେଶ୍‌ ହସଖୁସିରେ ଚାଲିଥିଲା ସଂସାର ରଥ। ହେଲେ ହଠାତ୍‌ କ’ଣ ହେଲା ଯେ ପ୍ରେମିକାରୁ ପତ୍ନୀ ବନିଥିବା ବୁଲିଙ୍କୁ ଖଣ୍ଡଖଣ୍ଡ କରି କାଟି ନଦୀକୁ ଫିଙ୍ଗିଦେଲେ ସ୍ୱାମୀ? ଏପରି ବୀଭତ୍ସ ଓ ଲୋମହର୍ଷଣ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଞ୍ଚଳରେ ଘଟିଛି।

ଖବର ଅନୁଯାୟୀ ଭଗବାନପୁର ଗାଁରେ ନାରାୟଣ ମୁଳି କବିସୂର୍ଯ୍ୟନଗର ବ୍ଲକ ଜାଗିଲିପଦର ଗାଁର ବୁଲି ମୁଳିଙ୍କୁ ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ତିନିମାସ ତଳେ ଦୁଇ ପରିବାରର ସହମତିରେ ଉଭୟଙ୍କର ଗାଁ ମନ୍ଦିରରେ ବିବାହ ହୋଇଥିଲା। ବୁଧବାର ରାତିରେ ବୁଲି ଓ ନାରାୟଣ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନାରାୟଣ ବୁଲିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ମୃତଦେହକୁ ଲୁଗାରେ ଗୁଡ଼ାଇ ଋଷିକୂଲ୍ୟ ନଦୀ ପଠାକୁ ନେଇ ସେଠାରେ ଖଣ୍ଡ ଖଣ୍ଡ କରି କାଟି ନଦୀକୁ ଫିଙ୍ଗି ଦେଇଥିଲେ। ରାତି ପାହିଲା ପରେ ସୋରଡ଼ା ଥାନାକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ ହେଁ ତାଙ୍କ କଥା ଶୁଣିନଥିଲା।

ଦୁଇଦିନ ତଳେ ବାପଘରକୁ ଯାଇ ଫେରିଥିବା ବୁଲିଙ୍କ ଖୋଜ ଖବର ନମିଳିବାରୁ ବାପଘର ଲୋକେ ସୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ୍‌ ନାରାୟଣଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ପତ୍ନୀଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲା। ହେଲେ କେଉଁ କାରଣରୁ ପତ୍ନୀଙ୍କୁ ହତ୍ୟା କରିଛନ୍ତି ତାହା କହି ନାହାନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *

Back to top button