ଯିଏ ଆଇନଶୃଙ୍ଖଳା ଭାଙ୍ଗୁଛି ତା’ଉପରେ କାର୍ଯ୍ୟାନୁଷ୍ଠାନ ହେଉ : ବିଜେଡି

ଭୁବନେଶ୍ଵର : ଗ୍ୟାଙ୍ଗଷ୍ଟର ଗୁଡୁ ମୁସଲିମ ପୁରୀ ଓ ବରଗଡ଼ ଆସିବା ଓ ସମ୍ବଲପୁର ହିଂସା ଘଟଣା ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ। ଏଥିସହ ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ନାହିଁ ତ ବୋଲି ଆଶଙ୍କା କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ବିଜେପି ପ୍ରଶ୍ନର ଉତ୍ତର ସମ୍ବଲପୁର ହିଂସା ଇତିହାସ ହିଁ କହିବ।

ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତିପ୍ରତ୍ୟେକ ରାମ ନବମୀ ଓ ହନୁମାନ ଜୟନ୍ତୀରେ ସମ୍ବଲପୁରରେ କିଛି ନା କିଛି ସେଠି ଝାମେଲା ହୁଏ। ଏହାକୁ କିଏ କରେ ତାହା ରାଜ୍ୟବାସୀ ଜାଣିଛନ୍ତି। ସମ୍ବଲପୁରର ମାନ୍ୟବର ବିଧାୟକ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା। ଏଇଟା ଆଜିକା କଥା ନୁହେଁ ବିଗତ ୨୦ ବର୍ଷ ହେବ ଏମିତି କରି ଆସିଛନ୍ତି। ହନୁମାନ ଜୟନ୍ତୀ ଓ ରାମ ନବମୀରେ ସେଠି ଅସାମାଜିକ କାର୍ଯ୍ୟକ୍ରମ କରି ସାମ୍ପ୍ରଦାୟିକ ଟେନସନ କିଏ ସୃଷ୍ଟି କରୁଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ ନିଜେ କହୁ ନାହାନ୍ତି ବିଗତ ୧୫ ବର୍ଷ ହେବ ଯେଉଁ ଟେନସନ ହେଉଛି କ’ଣ ବିଜେଡି କରାଉଛି କି ? କେବଳ ବିଜେପି ହିଁ କରାଉଛି। ସେସବୁର ଶହ ଶହ କ୍ଲିପିଂ ଗଣମାଧ୍ୟମ ପାଖରେ ଥିବ। ସେ ଏଥର ନ ଥିଲେ ମଧ୍ୟ ଯେଉଁ ସଂସ୍ଥା ତିଆରି କରିଛନ୍ତି ସେମାନେ ଏପରି କରିଛନ୍ତି। ଆମେ ସିଧା କହୁଛୁ ଆଇନଶୃଙ୍ଖଳା ଯିଏ ଭାଙ୍ଗୁଛି ଓ ଉସକଉଛି ସିଏ ବିଜେଡି, ବିଜେପି ଓ କଂଗ୍ରେସ ହୋଇଥିଲେ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଆଇନକୁ ତା’ର କାମ କରିବା ପାଇଁ ଦିଆଯାଉ।

ଅନ୍ୟପକ୍ଷରେ ଗୁଳିମାଡ଼ରେ ନିହତ ୟୁପି ପ୍ରୟାଗରାଜର ମାଫିଆ ଅତିକର ଡାହାଣ ହାତ ଗୁଡୁ ମୁସଲିମର ପୁରୀ ଓ ବରଗଡ଼ ଲିଙ୍କ୍ ସାମ୍ନାକୁ ଆସିବା ପରେ ଓଡ଼ିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ। ସେ ଅଭିଯୋଗ କରିଛନ୍ତି ଗତ ୧୨ ତାରିଖ ସମ୍ବଲପୁର ହିଂସାରେ ଦେଶବିରୋଧୀ ସ୍ଲୋଗାନ ଦିଆଗଲା। ଅର୍ଥାତ ଏଥିରୁ ସ୍ପଷ୍ଟ ହେଉଛି ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ଶକ୍ତି ଉପସ୍ଥିତ ରହିଛନ୍ତି। ରାଷ୍ଟ୍ରହିତ ଦୃଷ୍ଟିରୁ ରାଜ୍ୟ ସରକାର ଏନଆଇଏକୁ ତଦନ୍ତ ଦାୟିତ୍ଵ ଦିଅନ୍ତୁ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button