ପୂର୍ବତନ ଆସିକା ନଗରପାଳଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର : ଆସିକାର ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ଉମାଚରଣ ବିଷୋୟୀଙ୍କ ହତ୍ୟା ମାମଲାର ରାୟ ୨୧ ବର୍ଷ ପରେ ଆସିଛି। ପୂର୍ବତନ ଆସିକା ନଗରପାଳ ସୂର୍ଯ୍ୟନାରାୟଣ ପୋଲାଇଙ୍କୁ ଆଜୀବନ ଜେଲ୍ ହୋଇଥିବା ବେଳେ ଅନ୍ୟ ୪ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
ଖବର ଅନୁଯାୟୀ ୨୦୦୨ ଜୁଲାଇ ୨୬ ତାରିଖରେ ଉମାଙ୍କୁ ଅଭିଯୁକ୍ତ ସୂର୍ଯ୍ୟ ଘରୁ ଡାକି ନେଇଥିଲେ। ସହର ଉପକଣ୍ଠ ଚାରିମଇଲି ଛକ ଗଡ଼ଗଡ଼ିଆ ପାହାଡ଼ ତଳେ ତାଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ଏ ନେଇ ଉମାଙ୍କ ପତ୍ନୀ ରୁନୁ ବିଷୋୟୀ ଆସିକା ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ସୂର୍ଯ୍ୟଙ୍କ ସମେତ ସୁଦର୍ଶନ ପରିଡ଼ା, ଅମୂଲ୍ୟ ପଣ୍ଡା, ଗଙ୍ଗାଧର ପ୍ରଧାନ, କୈଳାସ ରାଉତ ଓ ସନ୍ତୋଷ ଗୌଡ଼ ମୋଟ ୬ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ସମସ୍ତ ଅଭିଯୁକ୍ତ ଗିରଫ ହେବା ପରେ ଆସିକା ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ଆରମ୍ଭ ହୋଇଥିଲା ବିଚାର। ପରବର୍ତ୍ତୀ ସମୟରେ ମାମଲା ଆସିକା ଏଡିଜେ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଗତ କିଛିବର୍ଷ ତଳେ ଅଭିଯୁକ୍ତ ସୁଦର୍ଶନ ପରିଡ଼ାଙ୍କୁ ହତ୍ୟା କରା ଯାଇଥିବା ବେଳେ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କର ବିଚାର କରାଯାଇ ଦଣ୍ଡିତ କରାଯାଇଛି।