ଗୀର୍ଜାରେ ସାଂସଦଙ୍କୁ ଛୁରାମାଡ଼

ଲଣ୍ଡନ୍‌ : ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ର ସାଂସଦ ଡେଭିଡ୍‌ ଆମେସଙ୍କୁ ଛୁରାମାଡ଼। ଶୁକ୍ରବାର ଗୀର୍ଜାରେ ଜଣେ ବ୍ୟକ୍ତି ତାଙ୍କୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡିଛି।

ଖବର ଅନୁଯାୟୀ ପୂର୍ବାଞ୍ଚଳ ଇଂଲଣ୍ଡ୍‌ର ସାଉଥ୍‌ ଏଣ୍ଡ୍‌ ଓ୍ଵେଷ୍ଟ୍‍ ଇସେକ୍ସ୍‍ର ସାଂସଦ ୬୯ ବର୍ଷିୟ ଡେଭିଡ୍‌ ଆମେସ୍‌ଙ୍କୁ ଲି-ଅନ୍‌-ସି ଠାରେ ଥିବା ବେଲ୍‌ଫେୟାର୍ସ ମେଥଡିଷ୍ଟ୍‍ ଚର୍ଚ୍ଚରେ ଛୁରାମାଡ଼ ହୋଇଛି। ସଭା ଚାଲିଥିବା ସମୟରେ ଦୁର୍ବୃତ୍ତ ଏହି ଆକ୍ରମଣ କରିଥିଲା। ଖବର ପ୍ରଚାର ହେବା ପରେ ପୋଲିସ ଗୀର୍ଜାରେ ଚଢ଼ାଉ କରି ୨୫ ବର୍ଷିୟ ଆତତାୟୀଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ଜବତ କରିଛି। ପୋଲିସ କହିଛି ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ନାହାନ୍ତି। ସାଂସଦଙ୍କୁ ବଞ୍ଚାଇବା ପାଇଁ ଗୀର୍ଜାରେ ଏମରଜେନ୍ସି ସେବା ଯୋଗାଇ ଦିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆମେସ୍ ଆଖି ବୁଜିଥିଲେ।

ଡେଭିଡ୍‌ ନିୟମିତ ଭାବେ ପ୍ରତି ମାସର ପ୍ରଥମ ଓ ତୃତୀୟ ଶୁକ୍ରବାର ଭୋଟର୍‌ମାନଙ୍କ ସହିତ ଆଲୋଚନା କରୁଥିଲେ। ଆମେସ୍‌ ବିବାହିତ ଓ ତାଙ୍କର ୫ଜଣ ସନ୍ତାନ ସନ୍ତତି ଅଛନ୍ତି। ୧୯୮୩ରେ ସେ ପ୍ରଥମେ ବେସିଲ୍‌ଡନ୍‌ରୁ ପାର୍ଲାମେଣ୍ଟ୍‌କୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୭ରେ ସେ ସାଉଥ୍‌ଏଣ୍ଡ୍‌ ଓ୍ଵେଷ୍ଟ୍‍ରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button