କଶ୍ମୀରରୁ ଭାରତୀୟ ସେନା ହଟିଲେ ଗଣତନ୍ତ୍ର ନଷ୍ଟ ହେବ

ଲଣ୍ଡନ : ଭାରତୀୟ ସେନା କଶ୍ମୀରରେ ଗଣତନ୍ତ୍ରର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ। ଯଦି ସେଠାରୁ ସେମାନେ ହଟିଯାଆନ୍ତି ତେବେ ଆଫଗାନିସ୍ତାନ ଭଳି କଶ୍ମୀରରେ ଇସଲାମିକ ଶକ୍ତି ଗଣତନ୍ତ୍ରକୁ ନଷ୍ଟ କରିଦେବେ। ଏହା କହିଛନ୍ତି ଲଣ୍ଡନର ସଂସଦ ହାଉସ୍ ଅଫ୍ କମନ୍ସର ସାଂସଦ ବବ୍ ବ୍ଲାକମ୍ୟାନ୍ଆ।

ଖବର ଅନୁଯାୟୀ ବ୍ରିଟେନର ସାଂସଦମାନେ ‘କଶ୍ମୀରରେ ମାନବାଧିକାର’ ପ୍ରସଙ୍ଗ ଆଲୋଚନା ପାଇଁ ଏକ ପ୍ରସ୍ତାବ ରଖିଥିଲେ। ଏହା ଉପରେ ହାଉସ୍ ଅଫ୍ କମନ୍ସରେ ବ୍ରିଟିଶ ସାଂସଦ ଡେବି ଆବ୍ରାହମ୍ ଓ ପାକିସ୍ତାନ ବଂଶୋଦ୍ଭବ ୟାସମିନ୍ କ୍ୟୁରେଶି ଆଲୋଚନା କରୁଥିଲେ। ଏହି ଅବସରରେ ବ୍ଲାକମ୍ୟାନ୍ କହିଛନ୍ତି ଏହା କେବଳ ଭାରତୀୟ ସେନା ଓ ଏହାର ଶକ୍ତି କଶ୍ମୀରକୁ ତାଲିବାନ ଦ୍ୱାରା ଅଧିକୃତ ଆଫଗାନିସ୍ତାନ ହେବାରୁ ରୋକିଛି। ଜମ୍ମୁ-କଶ୍ମୀର ଆଇନଗତ ଓ ସରକାରୀ ଭାବେ ଭାରତର ଏକ ଅବିଚ୍ଛେଦ ଅଙ୍ଗ।

ଭାରତ ଦୃଢ଼ ପ୍ରତିକ୍ରିୟା ଦେଇ କହିଛି ଦେଶର ଅବିଚ୍ଛେଦ ଅଙ୍ଗ ସମ୍ବନ୍ଧିତ ବିଷୟରେ କୌଣସି ମଞ୍ଚରେ ଉପସ୍ଥାପନା କରିବା ଆଗରୁ ପ୍ରଥମେ ଏହାକୁ ତଥ୍ୟ ସହ ପ୍ରମାଣିତ କରିବାର ଆବଶ୍ୟକତା ରହିଛି। ବୈଦେଶିକ, ରାଜ୍ୟଗୋଷ୍ଠୀ ଓ ବିକାଶ କାର୍ଯ୍ୟାଳୟରେ ଏସିଆର ମନ୍ତ୍ରୀ ଅମାଣ୍ଡା ମିଲିଂ ଚର୍ଚ୍ଚାରେ ଦ୍ୱିପାକ୍ଷିକ ପ୍ରସଙ୍ଗରେ କଶ୍ମୀର ଉପରେ ବ୍ରିଟେନ ସରକାରଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନାହିଁ ବୋଲି କହିଛନ୍ତି। ମିଲିଂ କହିଛନ୍ତି ସରକାର କଶ୍ମୀରରେ ପରିସ୍ଥିତିକୁ ଅତି ଗୁରୁତର ସହ ନେଇଛନ୍ତି କିନ୍ତୁ କଶ୍ମୀରବାସୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଉଭୟ ଭାରତ ଓ ପାକିସ୍ତାନ ସ୍ଥାୟୀ ରାଜନୀତିକ ସମାଧାନ ଖୋଜିବାକୁ ପଡ଼ିବ। ସମାଧାନ ପ୍ରଦାନ କିମ୍ବା ମଧ୍ୟସ୍ଥି ଭାବେ କାର୍ଯ୍ୟ କରିବା ବ୍ରିଟେନର ଦାୟିତ୍ୱ ନୁହେଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button