ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୭୫

ଭୁବନେଶ୍ଵର : ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ସେ କହିଛନ୍ତି କେତେକ ମୃତଦେହର ଦୁଇଥର ଗଣତି ହୋଇଯାଇଥିବାରୁ ଗତକାଲି ସରକାରୀ ଭାବେ ମୃତ୍ୟୁସଂଖ୍ୟା ୨୮୮ ବୋଲି କୁହାଯାଇଥିଲା।

ରବିବାର ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ଦୁଘର୍ଟଣା ପରେ କେତେକ ମୃତଦେହର ‘ଡବଲ କାଉଣ୍ଟିଙ୍ଗ’ ହୋଇ ଯାଇଥିଲା। ବର୍ତ୍ତମାନ ସବୁକୁ ତନଖି କରି ବାଲେଶ୍ଵର ଜିଲ୍ଲାପାଳ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ତାଙ୍କ ଲିଖିତ ତଥ୍ୟ ଅନୁଯାୟୀ ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ସେ ମଧ୍ୟରୁ ୭୮ ମୃତଦେହକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଚିହ୍ନଟ ହୋଇଥିବା ଆଉ ୧୦ ମୃତଦେହ ଖୁବଶୀଘ୍ର ହସ୍ତାନ୍ତର ହେବ। ବାକି ୧୮୭ଟି ମୃତଦେହକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

ମୃତଦେହ ଚିହ୍ନଟ ଓ ଗ୍ରହଣ ଲାଗି ଟ୍ରୋଲ ଫ୍ରି ନମ୍ବର 18003450061 ଜାରି କରାଯାଇଛି। ଯେଉଁମାନେ ମୃତଦେହ ଚିହ୍ନଟ ପାଇଁ ଆସୁଛନ୍ତି ସେମାନେ ଏହି ନମ୍ବରରେ କଲ କରି ପାରିବେ। ଆମର ଅଫିସରମାନେ ସେମାନଙ୍କୁ ସାହାଯ୍ୟ କରିବେ। ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ। ତେବେ 1929 ଟୋଲ୍ ଫ୍ରି ନମ୍ବର କେବଳ ଓଡ଼ିଶା ଲୋକଙ୍କ ପାଇଁ ଜାରି କରାଯାଇଛି। ରାଜ୍ୟର ଖର୍ଚ୍ଚରେ ମୃତଦେହକୁ ଗନ୍ତବ୍ୟ ସ୍ଥଳକୁ ପଠାଯିବ ବୋଲି ନିଷ୍ପତ୍ତି ‌ହୋଇଥିବା ଶ୍ରୀ ଜେନା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button